ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଗସ୍ତରେ ଆସିଥିବା ତାଙ୍କ ନେପାଳୀ ପ୍ରତିପକ୍ଷ ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’ଙ୍କ ସହ ଗୁରୁବାର ଶକ୍ତି, ସଂଯୋଗୀକରଣ ଓ ବାଣିଜ୍ୟ ପ୍ରଭୃତି ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଏହାପରେ ମୋଦୀ କହିଛନ୍ତି, ‘ଆମେ ଭାରତ-ନେପାଳ ବନ୍ଧୁତାକୁ ହିମାଳୟ ପରି ଉଚ୍ଚତାକୁ ନେଇଯିବାକୁ ପ୍ରତିଶ୍ରୁତିବଦ୍ଧ’। ଏଥି ସହ ଭାରତ-ନେପାଳ ସହଭାଗିତାକୁ ଭବିଷ୍ୟତରେ ‘ସୁପର ହିଟ୍’ ପର୍ଯ୍ୟାୟକୁ ଉନ୍ନୀତ କରିବା ପାଇଁ ଆମେ ଦୃଢ଼ପରିକର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ନେପାଳ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ବୁଧବାରଠାରୁ ଏକ ଚତୁର୍ଦିବସୀୟ ଭାରତ ଗସ୍ତରେ ଆସିଛନ୍ତି। କମ୍ୟୁନିଷ୍ଟ ପାର୍ଟି ଅଫ୍ ନେପାଳ-ମାଓବାଦୀ (ସିପିଏନ୍-ମାଓଇଷ୍ଟ)ର ଏହି ୬୮ ବର୍ଷୀୟ ନେତା ଗତ ଡିସେମ୍ବର ୨୦୨୨ରେ ପ୍ରଧାନମନ୍ତ୍ରୀ ଆସନ ଅଳଂକୃତ କରିବା ପରେ ଏହା ତାଙ୍କର ପ୍ରଥମ ଦ୍ବିପାକ୍ଷିକ ବିଦେଶ ଗସ୍ତ। ମୋଦୀ ଓ ପ୍ରଚଣ୍ଡଙ୍କ ମଧ୍ୟରେ ସଂଯୋଗୀକରଣ, ଅର୍ଥନୀତି, ଶକ୍ତି, ଭିତ୍ତିଭୂମି ନିର୍ମାଣ, ବାଣିଜ୍ୟ ଆଦି ଉପରେ ଦ୍ବିପାକ୍ଷିକ ଆଲୋଚନା ହୋଇଥିବା ଜଣାପଡ଼ିଛି।
ଭାରତ ପାଇଁ ନେପାଳର ଯଥେଷ୍ଟ ଗୁରୁତ୍ବ ରହିଛି। ଦୁଇ ଦେଶ ମଧ୍ୟ କେଉଁ ପ୍ରାଚୀନ କାଳରୁ ‘ରୋଟି-ବେଟି’ ସମ୍ପର୍କ ରହିଆସିଛି। ଅର୍ଥାତ୍ ଦୁଇ ଦେଶର ଲୋକଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ରହିଛି। ନେପାଳ-ଭାରତ ପରସ୍ପର ସହ ୧,୮୫୦ କିମି ସୀମା ଭାଗ କରୁଛନ୍ତି, ଯେଉଁ ସୀମାକୁ ଭାରତର ସିକିମ, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ରାଜ୍ୟ ଲାଗି ରହିଛି। ଦୁଇ ଦେଶ ଭିତରେ ବିଭିନ୍ନ ଦ୍ରବ୍ୟ ଓ ସେବାର ପରିବହନ ହୋଇଥାଏ। ଭାରତ ଦେଇ ନେପାଳ ସମୁଦ୍ରକୁ ଯାଇପାରେ। ଭାରତରୁ ଏହା ଅନେକ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନି କରେ। ୧୯୫୦ ମସିହାରେ ନେପାଳ ଓ ଭାରତ ମଧ୍ୟରେ ଶାନ୍ତି ଓ ବନ୍ଧୁତା ନେଇ ଚୁକ୍ତି ହୋଇଥିଲା। ପ୍ରଚଣ୍ଡଙ୍କ ସହ ଭାରତ ଆସିଥିବା ନେପାଳ ବୈଦେଶିକ ମନ୍ତ୍ରୀ ଏନ୍ପି ସୌଦ ବୁଧବାର କହିଥିଲେ ଯେ ଦୁଇ ଦେଶ ଭିତରେ ବାଣିଜ୍ୟ, ପରିବହନ, ସଂଯୋଗୀକରଣ ଓ ସୀମା ସମସ୍ୟା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ।