ଭାରତ ହେବ ଏସସିଓର ନୂଆ ସଭାପତି ; ସମର୍ଥନ ଜଣାଇଲେ ଚୀନ, ରୁଷ୍

ସମରକନ୍ଦ : ଆସନ୍ତା ବର୍ଷ ଭାରତ ସାଂଘାଇ ସହଯୋଗ ସଂଗଠନର ସଭାପତି ପଦ ଗ୍ରହଣ କରିବ । ଏହା ସହିତ ଆସନ୍ତା ବର୍ଷ ଭାରତ ଏହି ସଂଗଠନର ସମ୍ମିଳନୀ ଆୟୋଜନ କରିବ ।

ଏ ନେଇ ଚୀନ ଭାରତକୁ ସମର୍ଥନ କରିଛି । ଏହା ସହିତ ନୂଆ ସଭାପତି ଭାରତକୁ  ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ୍ ଅଭିନନ୍ଦନ ଜଣାଇଛନ୍ତି । ଏହା ସହିତ ଭାରତକୁ ସବୁ ପ୍ରକାରର ସହଯୋଗ କରାଯିବ ବୋଲି ସେ କହିଛନ୍ତି ।

ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ସାଂଘାଇ ସହଯୋଗ ସଂଗଠନର ନୂଆ ସଭାପତି ଭାରତକୁ ଅଭିନନ୍ଦନ ଜଣାଇବା ସହ ସମର୍ଥନ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି ସମ୍ମିଳନୀରେ ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି । ଏହି ସମ୍ମିଳନୀରେ ମୋଦୀ କହିଛନ୍ତି ଯେ, ସଂଗଠନର ସବୁ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ଓ ଭରସାକୁ ଭାରତ ସମର୍ଥନ କରୁଛି ।

କରୋନା ଯୋଗୁଁ ୨ ବର୍ଷ ପରେ ଏହି ସମ୍ମିଳନୀ ଆୟୋଜନ ହୋଇଛି । ଗତ ୨ ବର୍ଷରେ ଭର୍ଚୁଆଲ ମୋଡରେ ସମ୍ମିଳନୀ ଆୟୋଜନ ହୋଇଥିଲା । ୨୦୨୦ ନଭେମ୍ବର ୩୦ରେ ଭାରତ ଏହି ସମ୍ମିଳନୀ ଆୟୋଜନ କରିଥିଲା ।

ଆଜି ମଧ୍ୟ ମୋଦୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିବାର ସମ୍ଭାବନା ରହିଛି । ଏହି ବୈଠକ ଉପରେ ସମଗ୍ର ବିଶ୍ବର ଆଖି ରହିବ ।

 

 

ସମ୍ବନ୍ଧିତ ଖବର