ଚୀନର ଖେଳରେ ତାକୁ ମାତ୍ ଦେଉଛି ଭାରତ : ଗରିବ ଓ ବିକାଶଶୀଳ ଦେଶଙ୍କୁ ଟିକା ଯୋଗାଇ ଜିତୁଛି ହୃଦୟ

ନୂଆଦିଲ୍ଲୀ: ଚୀନର ଖେଳରେ ତାକୁ ମାତ ଦେଉଛି ଭାରତ । ଊହାନରୁ ମାରାତ୍ମକ କରୋନା ଭୂତାଣୁ ବ୍ୟାପିବା ପରେ ସାରା ବିଶ୍ୱରେ ଚୀନର ଭାବମୂର୍ତ୍ତି ଖରାପ ହୋଇଛି । ତେଣୁ ଭାବମୂର୍ତ୍ତିକୁ ସୁଧାରିବା ପାଇଁ ଗରିବ ଓ ବିକାଶଶୀଳ ଦେଶଗୁଡିକୁ ପ୍ରାୟ ୪ କୋଟି ୬୩ ଲକ୍ଷ ଡୋଜ୍ କରୋନା ଟିକା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି ବେଜିଂ । ଭ୍ୟାକ୍ସିନ ଡିପ୍ଲୋମାସି ବା ଟିକା କୂଟନୀତି ଆରମ୍ଭ କରିଛନ୍ତି ଜିନପିଙ୍ଗ ସରକାର ।

ହେଲେ ଚୀନର ଖେଳରେ ଚୀନକୁ ମାତ୍ ଦେବା ପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି ମୋଦୀ ସରକାର । ବିଶ୍ୱ ସମୁଦାୟର ହୃଦୟ ଜିତିବାକୁ ଟିକା କୂଟନୀତିକୁ ଏକ ସଫ୍ଟ ପାୱାର ଭାବରେ ବ୍ୟବହାର କରୁଛି ଭାରତ । ଏଥିପାଇଁ ଆରମ୍ଭ ହୋଇଛି ଟିକା ମୈତ୍ରୀ ଯୋଜନା । ଭାରତର ପ୍ରାୟ ୫ଗୁଣା ବୃହତ ଅର୍ଥନୀତି ଚୀନକୁ ମାତ୍ ଦେବା ପାଇଁ କ୍ୱାଡ୍ ଦେଶସମୁହର ସହାୟତା ଲୋଡିଛି ଭାରତ । ଏକ ଅନୌପଚାରିକ ରଣନୈତିକ ସାମୁଖ୍ୟ କ୍ୱାଡରେ ଆମେରିକା ସମେତ ଜାପାନ, ଅଷ୍ଟ୍ରେଲିଆ ଓ ଭାରତ ସଦସ୍ୟ ଅଛନ୍ତି । ବିଶେଷ କରି ଚୀନର ବଢୁଥିବା ପ୍ରଭାବକୁ ରୋକିବା ପାଇଁ ଏହି ସାମୁଖ୍ୟ ଗଠନ କରାଯାଇଛି । ତେଣୁ କରୋନା ଟିକା ପ୍ରସ୍ତୁତିରେ କ୍ୱାଡ୍ ଦେଶସମୁହକୁ ଆହ୍ୱାନ କରିଛି ଭାରତ ।

ଫଳରେ ଗରିବ ଦେଶଗୁଡିକୁ ଟିକା ଯୋଗାଇ ଦେଇ ଚୀନ ତାର ଅଧିନରେ ରଖିବାକୁ ଯେଉଁ ରଣନୀତି କରିଛି, ତାହାର ମୁକାବିଲା କରାଯାଇ ପାରିବ । ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଭଳି ବିକଶିତ ରାଷ୍ଟ୍ର, କରୋନା ଟିକା ପ୍ରସ୍ତୁତିରେ ଅଧିକ ପୁଞ୍ଜି ନିବେଶ କଲେ ଚୀନକୁ ତାଳ ଦେଇପାରିବ ଭାରତ । ଅଧିକରୁ ଅଧିକ ଦେଶକୁ କରୋନା ଟିକା ଯୋଗାଇ ଦେଇ, ଏସିଆ ମହାଦେଶରେ ଚୀନର ବଢୁଥିବା ପ୍ରଭାବକୁ ଅଟକାଇ ପାରିବ ।

ସମ୍ବନ୍ଧିତ ଖବର