ଆମେରିକାର କୋହଳ ରାଷ୍ଟ୍ର ସୂଚୀରେ ଭାରତ ନାହିଁ

ରୁଷ୍‌ରୁ ଅସ୍ତ୍ର ଖରିଦ୍‌ କଟକଣା

ଓ୍ଵାସିଂଟନ: ରୁଷ୍‌ରୁ ଅସ୍ତ୍ରଶସ୍ତ୍ର ଖରିଦ୍‌ କରୁଥିବା ରାଷ୍ଟ୍ରଗୁଡ଼ିକ ପ୍ରତି କୌଣସି କଠୋର କଟକଣା ଗ୍ରହଣ କରାଯିବ ନାହିଁ ବୋଲି ଆମେରିକା ସଙ୍କେତ ଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ ନିକଟରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବା ପରେ ଆମେରିକା ଆଭିମୁଖ୍ୟରେ ପରିବର୍ତ୍ତନ ହୋଇଛି। ଆମେରିକା ପ୍ରତିରକ୍ଷା ସଚିବ ଜିମ୍‌ ମାଟିସ୍‌ କହିଛନ୍ତି ଯେ ରୁଷ୍‌୍‌ ଉପରେ ସାମରିକ ଦୃଷ୍ଟିରୁ ନିର୍ଭରଶୀଳ ରାଷ୍ଟ୍ରଗୁଡ଼ିକୁ ଆମେରିକାର ଆର୍ଥିକ କଟକଣାରୁ ମୁକ୍ତ ରଖାଯିବାକୁ ଆଇନରେ ସଂଶୋଧନ ଆଣିବା ପାଇଁ ଏବେ ପ୍ରୟାସ ଚାଲିଛି। ତେବେ ଏହି ତାଲିକାରେ ଆମେରିକା ଯେଉଁସବୁ ରାଷ୍ଟ୍ରକୁ ରଖିଛି ସେଥିରେ ଭାରତର ନାମକୁ ଉଲ୍ଲେଖ କରାଯାଇନାହିଁ। ଭାରତ ଏବେ ରୁଷ୍‌ରୁ ୫ଟି ମହାଶକ୍ତିଶାଳୀ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ଏସ୍‌-୪୦୦ ଟ୍ରାୟମ୍ଫ କ୍ରୟ କରିବାକୁ ଚୁକ୍ତି ସଂପୂର୍ଣ୍ଣ କରିଛି ଏବଂ ଏହା ଉପରେ ଆମେରିକାର କଡ଼ା ନଜର ରହିଛି। ଏହି ବିଶାଳ ସାମରିକ ଚୁକ୍ତି ଉପରେ ପୂରା ବିଶ୍ୱର ନଜର ରହିଥିବା ବେଳେ ଏ ଦିଗରେ ଆମେରିକା କିଭଳି ପଦକ୍ଷେପ ଗ୍ରହଣ କରିବ ସେ ନେଇ କିଛି ସ୍ପଷ୍ଟ କରୁନାହିଁ। ଆମେରିକା ପ୍ରତିରକ୍ଷା ସଚିବ କହିଛନ୍ତି ଯେ ଆମେରିକା ସହ ଘନିଷ୍ଠ ଥିବା ରାଷ୍ଟ୍ରମାନେ ରୁଷ୍‌ ଉପରେ ସାମରିକ ଦୃଷ୍ଟିରୁ ନିର୍ଭରଶୀଳ ରହିଲେ ଏ ଦିଗରେ କୋହଳ ନୀତି ଅବଲମ୍ବନ କରିବା ନିମନ୍ତେ ବ୍ୟବସ୍ଥା ହେବ । ଆମେରିକାରେ ଭାରତର ରାଷ୍ଟ୍ରଦୂତ ନଭତେଜ ସିଂହ ଶରଣ କହିଛନ୍ତି ଯେ ଆମେରିକାର ସଂଘୀୟ ଆଇନର ଟାର୍ଗେଟ୍‌ରେ ଭାରତ ପୂର୍ବରୁ ନଥିଲା ଏବଂ ଭାରତର କୌଣସି କ୍ଷତି ହେଲାଭଳି ପଦକ୍ଷେପ ଆମେରିକା ନେବା ଉଚିତ ନୁହେଁ। ଭାରତ ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସାମରିକ ସହଯୋଗୀ ରାଷ୍ଟ୍ର ହୋଇଥିବାରୁ ବିଭିନ୍ନ ପ୍ରସଙ୍ଗରେ ସ୍ପଷ୍ଟ ମତ ରହିବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର