ନ୍ୟୁୟର୍କ: ପାକିସ୍ତାନ ସହିତ ଆଲୋଚନା ସମ୍ଭବନାକୁ ପ୍ରତ୍ୟାଖ୍ୟାନ କରି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆଜି କହିଛନ୍ତି ଯେ ପାକିସ୍ତାନ ଏକ ଜଟିଳ ପଡ଼ୋଶୀ ଏବଂ ଏହା ଆତଙ୍କବାଦକୁ ନିଜର ରାଷ୍ଟ୍ର ନୀତି ଭଳି ବ୍ୟବହାର କରୁଛି। ପାକିସ୍ତାନ ସହିତ ଦ୍ବିପାକ୍ଷୀୟ କ୍ରିକେଟକୁ ନେଇ ବିଦେଶ ମନ୍ତ୍ରୀ କହିଛନ୍ତି ଯେ ଏଥିରେ ଦେଶବାସୀଙ୍କ ରାୟ ଗୁରୁତ୍ବପୂର୍ଣ୍ଣ ଏବଂ ଏବଂ ଭାରତ କଦାପି ଦିନରେ କ୍ରିକେଟ୍, ରାତିରେ ଆତଙ୍କବାଦକୁ ଗ୍ରହଣ କରିପାରିବ ନାହିଁ। ଗଣତନ୍ତ୍ରରେ ଜନସାଧାରଣଙ୍କ ମନୋଭାବକୁ ସମ୍ମାନ ଦେଇ ଦେଶ ସର୍ବଦା କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। ଆମେରିକାର ଏକ ଥିଙ୍କ୍ ଟ୍ୟାଙ୍କ୍ କାର୍ଯ୍ୟକ୍ରମରେ ଜୟଶଙ୍କର କହିଛନ୍ତି ଯେ ପାକିସ୍ତାନ ସର୍ବଦା ଭାରତ ସହିତ ଆଲୋଚନା ପାଇଁ ଚାପ ସୃଷ୍ଟି କରିବାକୁ ଆତଙ୍କବାଦକୁ ଏକ ଅସ୍ତ୍ର ଭଳି ବ୍ୟବହାର କରିଆସୁଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ କଶ୍ମୀରକୁ ସବୁଠାରୁ ବଡ଼ ପ୍ରସଙ୍ଗ ବୋଲି ଆମେ ଗ୍ରହଣ କରୁନାହୁଁ ବୋଲି ଜୟଶଙ୍କର କହିଛନ୍ତି।
ପାକିସ୍ତାନ ପଡ଼ୋଶୀ ହୋଇଥିବା ସତ୍ତ୍ବେ ଭାରତ ସହିତ ବାଣିଜ୍ୟ ଏବଂ କୂଟନୈତିକ ସଂପର୍କ ସଙ୍କୁଚିତ କରିଦେଇଛି ଏବଂ ନିଜର ବାୟୁସୀମାକୁ ମଧ୍ୟ ଭାରତ ପାଇଁ ବନ୍ଦ କରିଦେଇଛି। ପାକିସ୍ତାନର ଏଭଳି ନୀତି ଏବଂ ମାନସିକତା କେବଳ ତିକ୍ତତାକୁ ବଢ଼ାଉଛି ବୋଲି ବିଦେଶ ମନ୍ତ୍ରୀ କହିଛନ୍ତି। ଉରି, ପଠାନକୋଟ ଏବଂ ପୁଲୱାମା ଭଳି ଆକ୍ରମଣର ଉଦାହରଣ ଦେଇ ଜୟଶଙ୍କର କହିଥିଲେ ଯେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଏକ ରାଷ୍ଟ୍ର ସହିତ ଦ୍ବିପାକ୍ଷିକ ଆଲୋଚନା ଏବଂ କ୍ରିକେଟ ସମ୍ଭବ ହୋଇପାରିବ ନାହିଁ।