ଗହମ ରପ୍ତାନି କଟକଣା ଉଠାଇବୁ ନାହିଁ : ଭାରତ

ନୂଆଦିଲ୍ଲୀ : ଗହମ ରପ୍ତାନି ଉପରେ ସରକାର ଲଗାଇଥିବା କଟକଣା ଉଠାଇବାର କୌଣସି ସମ୍ଭାବନା ନାହିଁ ବୋଲି କେନ୍ଦ୍ର ବାଣିଜ୍ୟମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି । ତେବେ ବିଭିନ୍ନ ଦେଶର ସରକାରଙ୍କ ସହ ହୋଇଥିବା ଚୁକ୍ତି ଅନୁଯାୟୀ ଗହମ ଯୋଗାଣ ଜାରି ରହିବ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, ଅନ୍ତର୍ଜାତୀୟ ବଜାରରେ ଏବେ ଅସ୍ଥିରତା ରହିଛି । ଆମେ ଯଦି ରପ୍ତାନି କଟକଣା ଉଠାଇଦେବୁ ତେବେ ତାହା କଳାବଜାରୀ, ଜମାଖୋରମାନଙ୍କୁ ସହାୟତା କରିବ । ଏହା କୌଣସି ଦୁର୍ବଳ ଦେଶ ଅଥବା ବଜାରକୁ ସାହାଯ୍ୟ କରିବ ନାହିଁ । ଏଣୁ ସରକାର-ସରକାର ମଧ୍ୟରେ ଚୁକ୍ତି କରି ଗହମ ରପ୍ତାନି କରିବା ବୁଦ୍ଧିମାନର କାମ ହେବ ।

ଭାରତ ସରକାର  ଗତ ମେ ୧୩ରେ ଗହମ ରପ୍ତାନି ଉପରେ କଟକଣା ଲଗାଇଥିଲେ । ଦେଶରେ ଗହମର ଦରବୃଦ୍ଧିକୁ ରୋକିବାକୁ ଓ ଉପଲବ୍ଧତା ନିଶ୍ଚିତ କରିବାକୁ ସରକାର ଏହି ପଦକ୍ଷେପ ନେଇଥିଲେ । ତେବେ ଜି-୭ ଦେଶ ସମେତ ବିଶ୍ବର କେତେକ ପ୍ରମୁଖ ଦେଶ ରପ୍ତାନି କଟକଣା ଉଠାଇବାକୁ ଭାରତକୁ ଅନୁରୋଧ କରିଥିଲେ ।

ସୂଚନାଯୋଗ୍ୟ ଯେ, ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ବିଶ୍ବ ବଜାରକୁ ଗହମର ଯୋଗାଣ ବାଧାପ୍ରାପ୍ତ ହୋଇଛି । ଏହା ଫଳରେ ବିଶ୍ବରେ ଗହମର ମୂଲ୍ୟ ବୃଦ୍ଧି ପାଇଛି । ଏ ପରିପ୍ରେକ୍ଷୀରେ ଭାରତର ରପ୍ତାନି କଟକଣାକୁ ଅନ୍ତର୍ଜାତୀୟ ସ୍ତରରେ ସମାଲୋଚନା କରାଯାଉଛି ।

 

 

ସମ୍ବନ୍ଧିତ ଖବର