ନୂଆଦିଲ୍ଲୀ: ବୁଧବାର ଦିନ ସୁପ୍ରିମ୍ କୋର୍ଟ ସରକାରଙ୍କ ଦ୍ୱାରା ଡ୍ରାଫ୍ଟ୍ ହୋଇଥିବା ଉଇଟ୍ନେସ୍ ପ୍ରୋଟେକ୍ସନ୍ ପ୍ଲାନ୍ ବା ସାକ୍ଷୀ ସୁରକ୍ଷା ଯୋଜନାକୁ ଅନୁମୋଦନ କରିଛନ୍ତି। ‘ଉଇଟ୍ନେସ୍ ପ୍ରୋଟେକ୍ସନ୍ ସ୍କିମ୍’ ବୋଲି କୁହାଯାଉଥିବା ଏହି ଯୋଜନାର ଡ୍ରାଫ୍ଟ୍କୁ ସଂସଦ ଆଇନ୍ କରିବା ଯାଏଁ ଜମ୍ମୁ ଓ କଶ୍ମୀର ବ୍ୟତୀତ ବାକି ସମସ୍ତ ରାଜ୍ୟରେ ଲାଗୁ କରାଯିବ।
ଜଷ୍ଟିସ ଏକେ ସିକ୍ରିଙ୍କ ନେତୃତ୍ୱାଧୀନ ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ ଡ୍ରାଫ୍ଟ୍ ହୋଇଥିବା ଏହି ଯୋଜନାରେ କିଛି ପରିବର୍ତ୍ତନ କରିଥିଲେ। ରାଜ୍ୟଗୁଡ଼ିକ ସହ ପରାମର୍ଶ କରି କେନ୍ଦ୍ର ସରକାର ଏହାକୁ ପ୍ରସ୍ତୁତ କରିଥିଲେ।
ଆଶାରାମ ବାପୁଙ୍କ ମାମଲାରେ ସମ୍ପୃକ୍ତ ମାମଲା ସହ ଅନ୍ୟାନ୍ୟ ଦୁଷ୍କର୍ମ ମାମଲାର ସାକ୍ଷୀମାନଙ୍କ ପାଇଁ ସୁରକ୍ଷା ଦାବି କରି ଆଗତ ଏକ ପିଟିସନ୍ ଉପରେ ସୁପ୍ରିମ୍ କୋର୍ଟ ଆଜି ଏହି ରାୟ ଦେଇଛନ୍ତି।
ପୂର୍ବର ଏକ ଶୁଣାଣି ସମୟରେ ସରକାର ସୁପ୍ରିମ୍ କୋର୍ଟଙ୍କୁ କହିଥିଲେ ଯେ ଡ୍ରାଫ୍ଟ୍ ଉଇଟ୍ନେସ୍ ପ୍ରୋଟେକ୍ସନ୍ ଯୋଜନା ପ୍ରସ୍ତୁତ ସରିଛି ସମୟ କ୍ରମେ ତାହା ଆଇନ୍ରେ ପରିଣତ ହେବ।
ସରକାର କହିଲେ, ସେ ପର୍ଯ୍ୟନ୍ତ ଏହି ଡ୍ରାଫ୍ଟ୍ ଯୋଜନାକୁ ଅନୁସରଣ କରିବାକୁ ସୁପ୍ରିମ୍ କୋର୍ଟ ରାଜ୍ୟଗୁଡ଼ିକୁ କହି ପାରିବେ।
ଆଜି ସୁପ୍ରିମ୍ କୋର୍ଟ ତାହା ହିଁ କଲେ।
ଅପରାଧିକ ମାମଲାରେ ସାକ୍ଷୀ ପଡୁଥିବା ଲୋକମାନଙ୍କର ସୁରକ୍ଷା ପାଇଁ ଏଥିରେ ବିଭିନ୍ନ ପଦକ୍ଷେପ ନିଆଯାଇଛି।