ନୂଆଦିଲ୍ଲୀ : ଦୁଇ ଦିନିଆ ଭାରତ ଗସ୍ତରେ ଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା ପାଇଁ ଉଭୟ ନେତା ସହମତି ପ୍ରକାଶ କରିଛନ୍ତି। ଆତଙ୍କବାଦ ନିରୋଧ ପାଇଁ ଭାରତ ଶ୍ରୀଲଙ୍କା ସହିତ ଦୃଢ଼ ଭାବେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆତଙ୍କବାଦର ମୁକାବିଲା ପାଇଁ ଭାରତ ଶ୍ରୀଲଙ୍କାକୁ ୫୦ ନିୟୁତ ଡଲାର ଋଣ ଘୋଷଣା କରିଥିବା ବେଳେ ଶ୍ରୀଲଙ୍କାର ଅର୍ଥନୀତିକୁ ସୁଦୃଢ଼ କରିବାପାଇଁ ୪୦୦ ନିୟୁତ ଡଲାର ଋଣ ଘୋଷଣା କରିଛନ୍ତି। ଶ୍ରୀଲଙ୍କାରେ ଥିବା‌ ମୂଳ ତାମିଲମାନଙ୍କ ପାଇଁ ଗୃହ ନିର୍ମାଣ ନିମନ୍ତେ ପ୍ରକଳ୍ପ କାର୍ଯ୍ୟ ଭାରତ ହାତକୁ ନେଇଛି ଏବଂ ଭାରତୀୟ ଯୋଜନା ଅଧୀନରେ ଶ୍ରୀଲଙ୍କାରେ ୪୬,୦୦୦ ଗୃହ ନିର୍ମାଣ ସରିଛି । ତାମିଲ ବଂଶୋଦ୍ଭବଙ୍କ ପାଇଁ ୧୪,୦୦୦ରୁ ଅଧିକ ଗୃହ ନିର୍ମାଣ ହେଉଛି ବୋଲି ମୋଦୀ କହିଛନ୍ତି। ଶ୍ରୀଲଙ୍କାକୁ ବିକାଶ ପଥରେ ଆଗେଇ ନେବାରେ ଭାରତର ପୂର୍ଣ୍ଣ ସମର୍ଥନ ରହିବ ବୋଲି ମୋଦୀ ରାଜପକ୍ଷେଙ୍କୁ ଆଶ୍ବାସନା ଦେଇଛନ୍ତି। ଶ୍ରୀଲଙ୍କା ତଟରକ୍ଷୀ ବାହିନୀ ଦ୍ବାରା ଜବତ କରାଯାଇଥିବା ଭାରତୀୟ ବୋଟ୍‌ଗୁଡ଼ିକ ଖୁବ୍‌ ଶୀଘ୍ର ଛଡ଼ାଯିବ ବୋଲି ରାଜପକ୍ଷେ କହିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ନବ ନିର୍ବାଚିବ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କର ଏହା ପ୍ରଥମ ବିଦେଶ ଗସ୍ତ। ଗତକାଲି ଭାରତ ପହଞ୍ଚିଥିବା ଗୋଟାବାୟାଙ୍କୁ ଆଜି ସକାଳେ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଗୋଟାବାୟା ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଭାରତ ଏବଂ ଶ୍ରୀଲଙ୍କା ସୁରକ୍ଷା ସଂକ୍ରାନ୍ତ ପ୍ରସଙ୍ଗରେ ଏକାଠି କାମ କରିବାକୁ ବଦ୍ଧପରିକର।