ନୂଆଦିଲ୍ଲୀ: ୟେମେନରେ ମୃତ୍ୟୁଦଣ୍ଡର ସମ୍ମୁଖୀନ ହେଉଥିବା ଭାରତୀୟ ନର୍ସ ନିମିଷାପ୍ରିୟାଙ୍କ ସଂପର୍କରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ବୟାନ ଆସିଛି । ଭାରତର ବୈଦେଶିକ ମନ୍ତ୍ରଣାଳୟ ନିଶ୍ଚିତ କରିଛି ଯେ ନିମିଷାପ୍ରିୟାଙ୍କ ମୃତ୍ୟୁଦଣ୍ଡକୁ ସ୍ଥଗିତ ରଖାଯାଇଛି। ଭାରତର ସାମ୍ପ୍ରତିକ କୂଟନୈତିକ ପ୍ରୟାସ ଏବଂ ଉଭୟ ପକ୍ଷ ମଧ୍ୟରେ ସହମତିର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।
ବୈଦେଶିକ ମନ୍ତ୍ରଣାଳୟ କହିଛି, ଏହି ମାମଲା ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଭାରତ ସରକାର ପ୍ରତ୍ୟେକ ପ୍ରକାରେ ସାହାଯ୍ୟ କରୁଛନ୍ତି। ସରକାର ନିମିଷାଙ୍କୁ ଆଇନଗତ ସହାୟତା ପାଇଁ ଜଣେ ଓକିଲ ନିଯୁକ୍ତ କରିଛନ୍ତି, ନିୟମିତ କନସୁଲାର ଗସ୍ତ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ବଜାୟ ରଖିଛନ୍ତି।
ମନ୍ତ୍ରଣାଳୟ କହିଛି ଯେ ଗତ କିଛି ଦିନ ମଧ୍ୟରେ କରାଯାଇଥିବା ପ୍ରୟାସ ନିମିଷା ପ୍ରିୟାଙ୍କ ପରିବାରକୁ ଏକ ଚୁକ୍ତିରେ ପହଞ୍ଚିବା ପାଇଁ କିଛି ସମୟ ଦେଇଛି ଏବଂ ଏହି କାରଣରୁ ୧୬ ଜୁଲାଇ, ୨୦୨୫ରେ ହେବାକୁ ଥିବା ଫାଶୀକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।
ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଯଦିଓ ଆଶ୍ୱସ୍ତି ମିଳିଛି, ତଥାପି ଗମ୍ଭୀର ଚ୍ୟାଲେଞ୍ଜ ଏବେ ବି ରହିଛି । ଭାରତ ଅନ୍ୟ ବନ୍ଧୁତ୍ୱପୂର୍ଣ୍ଣ ଦେଶମାନଙ୍କ ସହିତ ମଧ୍ୟ ଯୋଗାଯୋଗରେ ଅଛି ଏବଂ ଏହି ମାମଲା ଉପରେ ନିରନ୍ତର ନଜର ରଖିଛି।