ଲେହ : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାରଦିନ ଲଦାଖର ସ୍ୟୋକ ନଦୀ ଉପରେ ନିର୍ମିତ ଏକ ପୋଲର ଉଦଘାଟନ କରିଛନ୍ତି । ଏହି ପୋଲଟି ଲେହର ଡରବୁକ ସହ ଦୌଲେତ ବେଗ ଓଲଡି ନାମକ ସାମରିକ ଏୟାରଷ୍ଟ୍ରିପକୁ ସଂଯୋଗ କରୁଛି । ଲଦାଖର ସିଂହ ଭାବରେ ପରିଚିତ କର୍ଣ୍ଣେଲ ଚେଓ୍ଵାଙ୍ଗ ରିନଚେନଙ୍କ ନାମରେ ଏହାକୁ ନାମିତ କରାଯାଇଛି ।
ରଣନୈତିକ ଦୃଷ୍ଟିକୋଣରୁ ଏହି ପୋଲ ନିର୍ମାଣକୁ ବେଶ ଗୁରୁତ୍ୱ ଦିଆଯାଉଛି । କାରଣ ଏହାଦ୍ୱାରା ଭାରତ ଚୀନ ସୀମାକୁ ସହଜରେ ଓ ଶୀଘ୍ର ଯୁଦ୍ଧ ସଂରଜାମ ଓ ସୈନ୍ୟମାନଙ୍କୁ ପଠାଇହେବ । ଏପରିକି ଓଜନିଆ ୬୯ ଟନ ଯୁଦ୍ଧ ଟ୍ୟାଙ୍କକୁ ମଧ୍ୟ ଏହି ପୋଲ ଦେଇ ପଠାଇହେବ । ପୂର୍ବରୁ ଏହି ନଦୀ ଅତିକ୍ରମ କରି ସେନା ଓ ସାମରିକ ଉପକରଣ ପଠାଇବା ବେଶ କଷ୍ଟକର ଓ ବିପଦପୂର୍ଣ୍ଣ ଥିଲା । କାରଣ ଏହି ପାହାଡିଆ ନଦୀ ବେଶ ବିପଦସଂକୂଳ । ସେଥିପାଇଁ ଏହି ନଦୀର ନାଁ ସ୍ଥାନୀୟ ଲଦାଖ ଭାଷାରେ ସ୍ୟୋକ ବୋଲି ରଖାଯାଇଛି । ଏହାର ଅର୍ଥ ହେଉଛି ମୃତ୍ୟର ନଦୀ । ପୋଲନିର୍ମାଣ କରି ଭାରତୀୟ ସେନା ଏହି ମୃତ୍ୟୁର ନଦୀ ଉପରେ ବିଜୟ ପ୍ରାପ୍ତ କରିଛି ବୋଲି କୁହାଯାଇପାରେ ।