ନୂଆଦିଲ୍ଲୀ: ରୁଷ୍ଠାରୁ ତେଲ କିଣୁଥିବା ଭାରତକୁ ଆମେରିକା ଓ ୟୁରୋପ ପକ୍ଷରୁ ଲଗାତାର ଭାବେ ସମାଲୋଚନା କରାଯାଉଥିବା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହା ଉପରେ ଜବାବ ରହିଛି। ଏହି ଦୁଇ ପକ୍ଷ ନିଜେ ରୁଷ୍ ସହ ବିଭିନ୍ନ ପ୍ରକାର କାରବାରରେ ଲିପ୍ତ ଥିଲେ ମଧ୍ୟ ଭାରତକୁ ନିର୍ଦ୍ଦିଷ୍ଟ ଭାବେ ସମାଲୋଚନା କରିବା ଅଯୌକ୍ତିକ ଓ ଅନୁଚିତ ବୋଲି ନୂଆଦିଲ୍ଲୀ କହିଛି। ଅନ୍ୟ ପ୍ରମୁଖ ଦେଶଗୁଡ଼ିକ ଭଳି ଭାରତ ମଧ୍ୟ ନିଜ ଜାତୀୟ ସ୍ବାର୍ଥ ରକ୍ଷା ଓ ଅର୍ଥନୈତିକ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ମନ୍ତ୍ରଣାଳୟ କହିଛି। ରୁଷ୍ରୁ ୟୁରୋପୀୟ ଦେଶଗୁଡ଼ିକ ସାର, ଖଣିଜ ପଦାର୍ଥ, ରାସାୟନିକ ପଦାର୍ଥ, ଲୁହା ଓ ଇସ୍ପାତ, ମେସିନ୍, ପରିବହନ ଉପକରଣ ମଗାଉଛନ୍ତି। ସେହିପରି ଆମେରିକା ମଧ୍ୟ ରୁଷ୍ରୁ ୟୁରାନିୟମ୍, ହେକ୍ସାଫ୍ଲୋରାଇଡ୍, ପାଲାଡିୟମ୍, ସାର ଏବଂ ରାସାୟନିକ ପଦାର୍ଥ ମଗାଉଥିବା ମନ୍ତ୍ରଣାୟ କହିଛି।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନ୍ ସହ ରୁଷ୍ର ଯୁଦ୍ଧ ଆରମ୍ଭ ହେବା ପରେ ଭାରତ ଯେଉଁ ପାରମ୍ପରିକ ସହଯୋଗୀଙ୍କଠାରୁ ତେଲ କିଣୁଥିଲା, ସେମାନେ ଅଧିକାଂଶ ତେଲ ୟୁରୋପକୁ ପଠାଇଥିଲେ। ଫଳରେ ଭାରତକୁ ରୁଷ୍ରୁ ତେଲ କିଣିବାକୁ ପଡ଼ିଥିଲା। ବିଶ୍ବ ଅର୍ଥନୀତିରେ ସନ୍ତୁଳନ ବଜାୟ ରଖିବା ଲାଗି ସେହି ସମୟରେ ଭାରତର ରୁଷ୍ ତେଲ କିଣାକୁ ଆମେରିକା ଉତ୍ସାହିତ କରିଥିଲା। ନିଜ ଗ୍ରାହକଙ୍କ ନିକଟରେ ସୁଲଭ ଦରରେ ଇନ୍ଧନ ଓ ଶକ୍ତି ପହଞ୍ଚାଇବା ଉଦ୍ଦେଶ୍ୟରେ ଭାରତ ତେଲ କିଣୁଛି। କିନ୍ତୁ ସେହି ଦେଶଗୁଡ଼ିକ ନିଜେ ରୁଷ୍ ସହ ବେପାର କରୁଥିବା ବେଳେ ଭାରତକୁ ସମାଲୋଚନା କରୁଛନ୍ତି। ସେମାନଙ୍କ ପାଇଁ ରୁଷ୍ ସହ ବେପାର ଭାରତ ଭଳି ଏକ ଜାତୀୟ ଆବଶ୍ୟକତା ମଧ୍ୟ ନୁହେଁ। କିଭଳି ରୁଷ୍ ସହ ଆମେରିକା ଓ ୟୁରୋପ କାରବାର କରୁଛନ୍ତି ତାହା ସାମ୍ନାକୁ ଆଣିବା ଲାଗି ମନ୍ତ୍ରଣାଳୟ କହିଛି ଯେ ୨୦୨୪ରେ ରୁଷ୍ ଓ ୟୁରୋପୀୟ ସଂଘ ମଧ୍ୟରେ ଦ୍ବିପାକ୍ଷିକ କାରବାର ୬୭୫୦ କୋଟି ୟୁରୋ ଥିଲା। ୨୦୨୩ରେ ଏହାର ସେବା କାରବାର ୧୭୨୦ କୋଟି ୟୁରୋ ରହିଥିଲା। ରୁଷ୍ ସହ ଭାରତର ମୋଟ୍ କାରବାରଠାରୁ ତାହା ଅଧିକ। ରୁଷ୍ରୁ ୟୁରୋପ ରେକର୍ଡ ଏଲ୍ଏନ୍ଜି ମଧ୍ୟ ଆମଦାନି କରୁଛି ବୋଲି ମନ୍ତ୍ରଣାଳୟ ଜଣାଇଛି।