କୃଷକ ଆନ୍ଦୋଳନ ସମ୍ପର୍କରେ କାନାଡା ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ଭାରତର ତୀବ୍ର ବିରୋଧ, ଅନ୍ତର୍ଜାତୀୟ କୋଭିଡ୍ ସମ୍ମିଳନୀକୁ ବର୍ଜନ କରିବ ନୂଆଦିଲ୍ଲୀ

ନୂଆଦିଲ୍ଲୀ : ଭାରତରେ ଚାଲିଥିବା କୃଷକ ଆନ୍ଦୋଳନ ସମ୍ପର୍କରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁଙ୍କ ମନ୍ତବ୍ୟକୁ ଭାରତ ପୁଣିଥରେ ବିରୋଧ କରିଛି । ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ କାନାଡା ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ହସ୍ତକ୍ଷେପକୁ ପ୍ରତିବାଦ କରି ଭାରତ ଆସନ୍ତା ୭ ତାରିଖରେ ହେବାକୁ ଥିବା କରୋନା ମହାମାରୀ ସମ୍ପର୍କିତ ଅନ୍ତର୍ଜାତୀୟ ସମ୍ମିଳନୀକୁ ବର୍ଜନ କରିବାକୁ ସଂକେତ ଦେଇଛି ।

କାନାଡା ପକ୍ଷରୁ ଏହି ବୈଠକ ଆୟୋଜନ କରାଯାଇଥିବାବେଳେ ସେଥିରେ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଯୋଗ ଦେବାର ଥିଲା । କିନ୍ତୁ ଟ୍ରୁଡୁଙ୍କ ମନ୍ତବ୍ୟ ପରେ ଜୟଶଙ୍କର ଏହି ବୈଠକରେ ଯୋଗ ନ ଦେବାକୁ ନିଷ୍ପତ୍ତି ନିଆଯାଇଛି ।

ଭାରତର କୃଷକ ଆନ୍ଦୋଳନ ସମ୍ପର୍କରେ କିଛି ଦିନ ତଳେ ଟ୍ରୁଡୁ କହିଥିଲେ ଯେ କୃଷକଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ କାନାଡା ସମର୍ଥନ କରୁଛି । କିନ୍ତୁ ଭାରତ ପକ୍ଷରୁ ଏହାକୁ ନେଇ ତୀବ୍ର ପ୍ରତିବାଦ କରାଯାଇଥିଲା । ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ କାନାଡା ହସ୍ତକ୍ଷେପ ନ କରୁ ବୋଲି ଭାରତ ପକ୍ଷରୁ ଚେତାବନୀ ଦିଆଯାଇଥିଲା । କୃଷକ ଆନ୍ଦୋଳନ ପରି ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ କାନାଡା ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଦୁଇ ଦେଶର ସମ୍ପର୍କକୁ ପ୍ରଭାବିତ କରିବ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ।

ଏହା ସତ୍ତ୍ବେ ଆଜି ପୁଣି ଟ୍ରୁଡୁ ନିଜ ପୂର୍ବ କଥା ଦୋହରାଇଛନ୍ତି । ତେବେ ସେ ଚାଲିଥିବା ଆଲୋଚନାକୁ ସ୍ବାଗତ କରିଥିଲେ ।

ସମ୍ବନ୍ଧିତ ଖବର