ଚୀନର ବିବାଦୀୟ ସୀମା ଆଇନକୁ ଭାରତର ବିରୋଧ

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦ ଦିନକୁ ଦିନ ଅଧିକ ଜଟିଳ ହେଉଥିବାବେଳେ ଚୀନ ସରକାର ଏକ ବିବାଦୀୟ ଆଇନକୁ ମଂଜୁରୀ ଦେଇଛନ୍ତି । ଏହାକୁ କୁହାଯାଉଛି ଭୂମି-ସୀମା ଆଇନ । ଏହି ଆଇନ ଅନୁସାରେ ନିଜର ସୀମାକୁ ସୁରକ୍ଷିତ ରଖିବାକୁ ଚୀନ ସରକାର ଆବଶ୍ୟକ ପଦକ୍ଷେପ ନେଇପାରବେ । କିନ୍ତୁ ଚୀନର ଏହି ନିୟମକୁ ନେଇ ଭାରତ ସରକାର ଆପତ୍ତି ଉଠାଇଛନ୍ତି ।

ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଚୀନ ସରକାରଙ୍କ ଏହି ନିୟମ ଦ୍ବାରା ଦ୍ବିପାକ୍ଷିକ ସମ୍ପର୍କ ପ୍ରଭାବିତ ହେବ । ଏହା ମଧ୍ୟ ସୀମା ପରିଚାଳନା ଓ ବନ୍ଦବୋସ୍ତକୁ ପ୍ରଭାବିତ କରିବ । ମନ୍ତ୍ରାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଏହି ଆଇନ ୧୯୬୩ରେ ଗୃହୀତ ହୋଇଥିବା ଚୀନ-ପାକିସ୍ତାନ ସୀମା ବୁଝାମଣାକୁ ମଧ୍ୟ କୌଣସି ବୈଧତା ପ୍ରଦାନ କରିବ ନାହିଁ । ଏହା ଏକ ଅବୈଧ ରାଜିନାମା ବୋଲି ଭାରତ ସରକାର କହିଆସୁଛନ୍ତି ।

ନୂଆ ଆଇନର ଦ୍ବାହି ଦେଇ ଚୀନ ସୀମାର ଶାନ୍ତି ଭଙ୍ଗ କରିବା ସହ ସ୍ଥିତାବସ୍ଥାକୁ ବଦଳାଇବାକୁ ଉଦ୍ୟମ କରିବ ନାହିଁ ବୋଲି ଭାରତ ସରକାର ଆଶା ପ୍ରକଟ କରିଛନ୍ତି ।

ଚୀନର ଏହି ନୂଆ ଆଇନ ଅନୁସାରେ ଚୀନ ସରକାର ସୀମାନ୍ତ ଅଂଚଳର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେଇପାରିବେ । ଏହା ସହିତ ସୀମାରେ ଆବଶ୍ୟକ ଭିତ୍ତିଭୂମି ଓ ବିକାଶମୂଳକ କାମ କରିପାରିବେ ।

ସମ୍ବନ୍ଧିତ ଖବର