ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲୁଂଗ୍‌ଙ୍କ ମନ୍ତବ୍ୟକୁ ଭାରତର ବିରୋଧ, ସିଙ୍ଗାପୁର ରାଜଦୂତଙ୍କୁ ସମନ

ନୂଆଦିଲ୍ଲୀ : ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲୀ ସିଏନ ଲୁଂଗ ବୁଧବାର ପାର୍ଲାମେଣ୍ଟରେ ଭାରତ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ପାଇଁ ଭାରତରେ ଅବସ୍ଥାପିତ ସିଙ୍ଗାପୁର ରାଜଦୂତଙ୍କୁ ସମନ ଜାରି କରାଯାଇଛି। ଭାରତର ସାଂସଦମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକଙ୍କ ନାମରେ ଆପରାଧିକ ମାମଲା ରହିଛି ବୋଲି ଲୁଂଗ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ।

ବୁଧବାର ସିଙ୍ଗାପୁର ପାର୍ଲାମେଣ୍ଟକୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଲୁଂଗ କହିଥିଲେ ଯେ, ଏକ ଗଣତନ୍ତ୍ର ସରକାର କିପରି ଚାଲିବ ତା’ର ଆଦର୍ଶ ଥିଲେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ। ନିଜ ଦଳର ନେତା ତଥା ସାଂସଦଙ୍କ ବିରୋଧରେ ଅଭିଯୋଗକୁ ନେଇ କମିଟି ରିପୋର୍ଟ ଉପରେ ବିତର୍କ ବେଳେ ଲୁଂଗ ଏହି ବିବୃତି ଦେଇଥିଲେ। ଲୁଂଗ କହିଥିଲେ, ବର୍ତ୍ତମାନ ନେହେରୁଙ୍କ ଭାରତ ଏପରି ସ୍ତରରେ ପହଞ୍ଚିଛି, ଯେଉଁଠି ପ୍ରାୟ ଅଧାଅଧି ସାଂସଦଙ୍କ ବିରୋଧରେ ବଳାତ୍କାର, ହତ୍ୟା ସମେତ ଅନେକ ଆପରାଧିକ ମାମଲା ରହିଛି। ଯଦିଚ, ଅନେକ ଅଭିଯୋଗ ମିଥ୍ୟା ଓ ରାଜନୈତିକ ଉଦ୍ଦେଶ୍ୟ-ପ୍ରଣୋଦିତ ବୋଲି କୁହାଯାଏ। ସେହି ଦୃଷ୍ଟିରୁ ବିଚାର କଲେ ସିଙ୍ଗାପୁରର ନେତାମାନଙ୍କ ଉପରେ ଜନସାଧାରଣ ବିଶ୍ବାସ କରିପାରିବେ ଓ ସରକାରଙ୍କ ଉପରେ ଭରସା କରିପାରିବେ ବୋଲି ଲୁଂଗ କହିଥିଲେ।

ସମ୍ବନ୍ଧିତ ଖବର