ଚୀନ ସହ ଉତ୍ତେଜନା ପରିପ୍ରେକ୍ଷୀରେ ଋଷିଆରୁ ଇଗଲା-ଏସ ମିସାଇଲ ସିଷ୍ଟମ ମଗାଇଲା ଭାରତ

ନୂଆଦିଲ୍ଲୀ : ସୀମାରେ ଚୀନ ସହ ଉତ୍ତେଜନା ଲାଗି ରହିଥିବାବେଳେ ପାକିସ୍ତାନ ପଟୁ ମଧ୍ୟ ବିପଦ ଆଶଙ୍କା କରୁଛି ଭାରତ । ଏହାକୁ ଦୃଷ୍ଟିରେ ରଖି ଯୁଦ୍ଧପ୍ରସ୍ତୁତି ଆରମ୍ଭ କରିଦେଇଛି ଭାରତୀୟ ସେନା ।

ଯୁଦ୍ଧସ୍ଥିତିରେ ସେନାର ଜରୁରୀକାଳୀନ ଆବଶ୍ୟକତା ମେଣ୍ଟାଇବା ପାଇଁ ଯଥାଶୀଘ୍ର ମିସାଇଲ, ଆସଲ୍ଟ ରାଇଫଲ, ଗୋଳାବାରୁଦ ଆଦି ଯୋଗାଇବାକୁ ଭାରତ ଋଷିଆକୁ କହିଛି । ବିଶେଷକରି ଇଗଲା-ଏସ ମିସାଇଲ ସିଷ୍ଟମ କିଣିବା ପାଇଁ ଭାରତ ଅର୍ଡର ଦେଇଛି ।
ନିକଟରେ ମସ୍କୋ ଗସ୍ତରେ ଯାଇଥିବା ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଭାରତୀୟ ପ୍ରତିନିଧିମଣ୍ଡଳ ଋଷିଆକୁ ଏହି ଅନୁରୋଧ କରିଛି । ଋଷିଆ ମଧ୍ୟ ଭାରତର ଏହି ଅନୁରୋଧକୁ ଗୁରୁତ୍ୱର ସହ ବିଚାର କରୁଛି ଓ ଯଥାଶୀଘ୍ର ଡେଲିଭରୀ ପାଇଁ ରାଜି ହୋଇଛି । ଏହା ସହିତ ଉତ୍ତରପ୍ରଦେଶରେ ଆମେଥିରେ ପ୍ରତିଷ୍ଠା ହୋଇଥିବା କାଲାସନିକୋଭ ରାଇଫଲ (ଏକେ-୪୭, ୫୬) କାରଖାନା ସଂପର୍କରେ ମଧ୍ୟ ଦୁଇପକ୍ଷ ଆଲୋଚନା କରିଥିଲେ । ଆସନ୍ତା ଅକ୍ଟୋବର ମାସରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ଏହି କାରଖାନାକୁ ପୁଟିନ ଓ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । କେବଳ ଋଷିଆ ନୁହେଁ, ଆମେରିକାଠାରୁ ମଧ୍ୟ ହାଓ୍ଵିଜର ଗନର ଗୋଳା ଖରିଦ କରିବାକୁ ଭାରତ ଅର୍ଡର ଦେଇଛି । ଆସନ୍ତା କିଛି ଦିନ ମଧ୍ୟରେ ଏସବୁ ସାମଗ୍ରୀ ପହଞ୍ଚିବ ।

ସମ୍ବନ୍ଧିତ ଖବର