କୋଭିଡ୍ ମୃତ୍ୟୁରେ ଇଟାଲିକୁ ଟପିଗଲା ଭାରତ
ବିଶ୍ବରେ ପଞ୍ଚମ ସ୍ଥାନରେ
କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ର ଏବେ ନୂଆ ହଟ୍ସ୍ପଟ୍
ଦିନକରେ ୫୫ ହଜାରରୁ ଅଧିକ ସଂକ୍ରମିତ
Sambad is now on WhatsApp
Join and get latest news updates delivered to you via WhatsApp
ନୂଆଦିଲ୍ଲୀ : ଭାରତ ଆଜି କରୋନା ମୃତ୍ୟୁସଂଖ୍ୟାରେ ଇଟାଲିକୁ ଟପିଯାଇଛି। କରୋନା ମୃତ୍ୟୁ କ୍ଷେତ୍ରରେ ବିଶ୍ବର ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ତାଲିକାରେ ଏବେ ଭାରତ ପଞ୍ଚମ ସ୍ଥାନକୁ ଆସିଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୭୭୯ କରୋନା ମୃତ୍ୟୁ ସହ ମୋଟ୍ ମୃତ୍ୟୁସଂଖ୍ୟା ୩୫ ହଜାର ୭୪୭କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ଇଟାଲିରେ ମୃତ୍ୟୁସଂଖ୍ୟା ୩୫ ହଜାର ୧୩୨ ରହିଛି। ବିଶ୍ବରେ କରୋନା ଯୋଗୁଁ ସବୁଠୁ ଅଧିକ ମୃତ୍ୟୁ ଆମେରିକାରେ ହୋଇଛି। ଆମେରିକାରେ ୧ ଲକ୍ଷ ୫୫ହଜାରରୁ ଅଧିକଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଆମେରିକା ପଛକୁ ବ୍ରାଜିଲ୍ରେ ୯୧ ହଜାରରୁ ଅଧିକ , ମେକ୍ସିକୋରେ ୪୬ ହଜାର ୬୦୦ ଏବଂ ବ୍ରିଟେନ୍ରେ ୪୬ ହଜାର ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି। ଏହା ପଛକୁ ଭାରତ ପଞ୍ଚମ ସ୍ଥାନରେ ରହିଛି। ଅନ୍ୟପକ୍ଷେ ମୋଟ୍ ସଂକ୍ରମଣ ମାମଲା କ୍ଷେତ୍ରରେ ଭାରତ ଆମେରିକା ଏବଂ ବ୍ରାଜିଲ୍ ପରେ ବିଶ୍ବରେ ତୃତୀୟ ସ୍ଥାନରେ ରହିଛି। ଦେଶରେ ସଂକ୍ରମଣ ମାମଲା ୧୬ ଲକ୍ଷ ଟପିଯାଇଛି। ଲଗାତାର ୨ ଦିନ ଧରି ଦେଶରେ ଦୈନିକ ସଂକ୍ରମଣ ୫୦ ହଜାରରୁ ଅଧିକ ରହିଛି। ଗତକାଲି ଦେଶରେ ଦୈନିକ ସଂକ୍ରମଣ ୫୨ ହଜାରରୁ ଅଧିକ ଥିବାବେଳେ ଆଜି ୫୫ ହଜାରରୁ ଅଧିକ ରହିଛି।
ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ୫୫ ହଜାର ୭୮ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ମୋଟ୍ ସଂକ୍ରମଣ ମାମଲା ୧୬ ଲକ୍ଷ ୩୮ ହଜାର ୮୭୦ ରହିଛି। କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶ ଏବେ ଦେଶରେ ନୂଆ ହଟ୍ସ୍ପଟ୍ ପାଲଟିଛି। ମହାରାଷ୍ଟ୍ରରେ ପଜଟିଭ୍ ହାର ସର୍ବାଧିକ ରହିଛି। କିନ୍ତୁ ଜୁଲାଇ ୧୫ରୁ ୨୮ ମଧ୍ୟରେ ବିଭିନ୍ନ ରାଜ୍ୟର ପଜିଟିଭ୍ ହାର ଦେଖିଲେ ଏହା ଜଣାପଡ଼ୁଛି ଯେ, କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶ ଏବେ ଦେଶରେ ନୂଆ ହଟ୍ସ୍ପଟ୍ ପାଲଟିଛି। ମହାରାଷ୍ଟ୍ରରେ ପଜିଟିଭ୍ ହାର ୨୧ ପ୍ରତିଶତ ଥିବାବେଳେ କର୍ଣ୍ଣାଟକରେ ୧୮, ପଶ୍ଚିମବଙ୍ଗରେ ୧୫ ଏବଂ ଆନ୍ଧ୍ରପ୍ରଦେଶରେ ୧୪ ପ୍ରତିଶତ ରହିଛି। ୧୪ରୁ ଅଧିକ ଦିନ ଧରି ଯଦି ପଜିଟିଭ୍ ହାର ୫ ପ୍ରତିଶତରୁ କମ୍ ରହେ ତେବେ ଲକ୍ଡାଉନ୍ କୋହଳ କରିବାପାଇଁ ଏହା ସୁରକ୍ଷିତ ହେବ। କିନ୍ତୁ ୧୪ ଦିନରୁ ଅଧିକ ସମୟ ଧରି ଯଦି ପଜିଟିଭ୍ ହାର ୫ ପ୍ରତିଶତରୁ ଅଧିକ ରହିଲା ତେବେ ଏହାକୁ ‘ରେଡ୍ ଜୋନ୍’ ଧରାଯିବ। ତେବେ ଏ କ୍ଷେତ୍ରରେ ଦିଲ୍ଲୀରେ ସ୍ଥିତି ବହୁତ ସୁଧୁରିଛି। ଦିଲ୍ଲୀରେ ପଜିଟିଭ୍ ହାର ଜୁଲାଇ ୨-୧୫ ମଧ୍ୟରେ ୧୫ ପ୍ରତିଶତ ଥିବାବେଳେ ଏହା ଜୁଲାଇ ୧୫-୨୮ ମଧ୍ୟରେ ୬ ପ୍ରତିଶତ ରହିଛି। ଦେଶରେ ଏବେ ୫ ଲକ୍ଷ ୪୫ ହଜାର ୩୧୮ ସକ୍ରିୟ ମାମଲା ରହିଛି। ଅନ୍ୟପକ୍ଷେ ଅରୋଗ୍ୟ ହାର ୬୪.୫୪ ପ୍ରତିଶତକୁ ବୃଦ୍ଧି ପାଇଛି। ଆଇସିଏମ୍ଆର ଅନୁଯାୟୀ ଗୁରୁବାର ଦିନ ଦେଶରେ ସର୍ବାଧିକ ୬ ଲକ୍ଷ ୪୨ ହଜାର ୫୮୮ ନମୁନା ପରୀକ୍ଷା କରାଯାଇଛି। ତେବେ ଜୁଲାଇ ୩୦ ସୁଦ୍ଧା ମୋଟ୍ ୧ କୋଟି ୮୮ ଲକ୍ଷ ୩୨ ହଜାର ୯୭୦ ନମୁନା ପରୀକ୍ଷା କରାଯାଇଛି।