ପରସ୍ପରର ଆଣବିକ କେନ୍ଦ୍ର ତାଲିକା ଆଦାନପ୍ରଦାନ କଲେ ଭାରତ ଓ ପାକିସ୍ତାନ

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ପରସ୍ପରର ଆଣବିକ କେନ୍ଦ୍ର ତାଲିକା ଆଦାନପ୍ରଦାନ କରିଛନ୍ତି । ୨୯ ବର୍ଷ ତଳେ ହୋଇଥିବା ଏକ ଦ୍ୱିପାକ୍ଷିକ ଚୁକ୍ତିକୁ ପାଳନ କରି ଦୁଇ ଦେଶ ଏହା କରିଛନ୍ତି ।

୧୯୮୮, ଡିସେମ୍ବର ୩୧ରେ ସ୍ୱାକ୍ଷରିତ ହୋଇଥିବା ଏହି ଚୁକ୍ତିର ନାଁ ହେଉଛି ଆଣବିକ କେନ୍ଦ୍ର ଆକ୍ରମଣ ନିରୋଧୀ ଚୁକ୍ତି । ଏହା ଜାନୁଆରି ୨୭, ୧୯୯୧ରେ ଲାଗୁ ହୋଇଥିଲା । ଦୁଇଦେଶ ମଧ୍ୟରେ ହୋଇଥିବା ଏକ ଚୁକ୍ତି ଅନୁସାରେ ଦୁଇଦେଶ କେବେ ମଧ୍ୟ ପରସ୍ପରର ଆଣବିକ କେନ୍ଦ୍ର ଉପରେ ଆକ୍ରମଣ କରିବେ ନାହିଁ । ଆହୁରି ମଧ୍ୟ ଦୁଇଦେଶ ପ୍ରତିବର୍ଷ ପରସ୍ପରର ଆଣବିକ କେନ୍ଦ୍ର ଓ ତତ୍‌ ସଂପର୍କିତ କେନ୍ଦ୍ର ଗୁଡ଼ିକର ତାଲିକା ଆଦାନପ୍ରଦାନ କରିବେ । ପ୍ରଥମ ତାଲିକା ଆଦାନପ୍ରଦାନ ଜାନୁଆରି ୧, ୧୯୯୨ରେ ହୋଇଥିଲା ।

ବୁଧବାରଦିନ ନୂଆଦିଲ୍ଲୀ ଓ ଇସଲାମାବାଦରେ ଥିବା ଦୁଇଦେଶର ଦୂତାବାସ ମାଧ୍ୟମରେ ଏହି ତାଲିକା ଆଦାନପ୍ରଦାନ ହୋଇଛି । କଶ୍ମୀର ପ୍ରସଙ୍ଗକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିଯାଇଥିବାବେଳେ ଏହି ଚୁକ୍ତିକୁ ପାଳନ କରିବା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ମନେକରୁଛନ୍ତି ।
ଗତ ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠାଇଦେବା ପରେ ପାକିସ୍ତାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଭାରତ ସହ ନିଜର କୂଟନୈତିକ ସଂପର୍କକୁ ହ୍ରାସ କରିଥିଲା ।

ସମ୍ବନ୍ଧିତ ଖବର