ସୀମା ପାର ଗୁଳିଚାଳନା ବନ୍ଦ କରିବାକୁ ରାଜି ହେଲେ ଭାରତ-ପାକ୍‌

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଲାଇନ୍‌ ଅଫ୍‌ କଣ୍ଟ୍ରୋଲ୍‌ (ଏଲ୍‌ଓସି)ରେ ଗୁଳିଚାଳନା ବନ୍ଦ କରିବାକୁ ଆଜି ଉଭୟ ଭାରତ ଓ ପାକିସ୍ତାନର ସେନା ସହମତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ବିଗତ କିଛି ମାସ ଧରି ଏହି ଅଞ୍ଚଳରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇ ବ୍ୟାପକ ଗୁଳି ବିନିମୟ ହୋଇଆସୁଥିଲା। ୨୦୦୩ରେ ଭାରତ ଏବଂ ପାକିସ୍ତାନ ଲାଇନ୍‌ ଅଫ୍‌ କଣ୍ଟ୍ରୋଲ୍‌ (ଏଲ୍‌ଓସି)ରେ ଅସ୍ତ୍ରବିରତି ଚୁକ୍ତି ସ୍ୱାକ୍ଷର କରିଥିଲେ ମଧ୍ୟ ନିକଟ ଅତୀତରେ ଏହି ଚୁକ୍ତିର ନିୟମିତ ଭାବେ ଉଲ୍ଲଂଘନ ଚାଲିଥିଲା।

ଉଭୟ ପକ୍ଷ ମଧ୍ୟରେ ଶାନ୍ତି ଓ ସୀମାନ୍ତରେ ପାରସ୍ପରିକ ସଦ୍‌ଭାବ ଉଦ୍ଦେଶ୍ୟରେ ଦୁଇ ଦେଶର ସାମରିକ ଅପରେସନ ମୁଖ୍ୟ (ଡିଜିଏମ୍‌ଓ) ମଧ୍ୟରେ ବ୍ୟାପକ ଆଲୋଚନା ପରେ ଏବେ ଜମ୍ମୁ-କଶ୍ମୀରର ଲାଇନ୍‌ ଅଫ୍‌ କଣ୍ଟ୍ରୋଲ୍‌ (ଏଲ୍‌ଓସି)ରେ ଗୁଳି ଚାଳନା ବନ୍ଦ କରିବାକୁ ଆଜି ଉଭୟ ପକ୍ଷ ସହମତ ହୋଇଥିବା ଏକ ମିଳିତ ବିବୃତିରେ କୁହାଯାଇଛି। ନୂଆଦିଲ୍ଲୀରେ ପ୍ରତିରକ୍ଷା ବିଭାଗର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସୀମାନ୍ତ ଅଞ୍ଚଳ ତଥା ଏଲଓସି ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ସାଧାରଣ ନାଗରିକଙ୍କୁ ସୁରକ୍ଷା ପ୍ରଦାନ ସହ ସେମାନଙ୍କ ପରିସ୍ଥିତିକୁ ସହଜ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର