ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇ ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ପାଇଁ ଆଗ୍ରହ ଦେଖାଇବା ଏବଂ କାଶ୍ମୀର ଆଲୋଚନା ଆଗକୁ ବଢ଼ାଇବାକୁ କହିବା ପରେ ଆଜି ଭାରତ ଆନୁଷ୍ଠାନିକ ଭାବେ ଏହାର ଜବାବ ରଖିଛି। ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ଭାରତ-ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ପ୍ରସଙ୍ଗଗୁଡ଼ିକ ବାବଦରେ କେବଳ ସିମଲା ରାଜିନାମା ଅନୁଯାୟୀ କଥାବାର୍ତ୍ତା ହୋଇପାରିବ। ତେବେ ଏଥିପାଇଁ ପ୍ରଥମେ ପାକିସ୍ତାନକୁ ହିଂସା ଓ ଆତଙ୍କମୁକ୍ତ ପରିବେଶ ସୃଷ୍ଟି କରିବାକୁ ହେବ। ପାକିସ୍ତାନ କାଶ୍ମୀରରେ ଭୟ ସୃଷ୍ଟି କରିବାକୁ ବ୍ୟାପକ ଉଦ୍ୟମ କରିଥିଲା, କିନ୍ତୁ ଏଥିରେ ବିଫଳ ହୋଇଛି। ବିଶ୍ବ ସମୁଦାୟ ପାକିସ୍ତାନର ଦୋମୁହାଁ ନୀତି ସଂପର୍କରେ ଭଲଭାବେ ଜାଣିଛି ବୋଲି ରବିଶ କହିଛନ୍ତି।
ପାକ୍ ବିଦେଶ ମନ୍ତ୍ରୀଙ୍କ ଦାବି, ଟ୍ରମ୍ପ୍ ପ୍ରଥମେ ପାକିସ୍ତାନ ଆସିବେ
ଇସ୍ଲାମାବାଦ: ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେସି କହିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ଗସ୍ତ କରିବା ପୂର୍ବରୁ ପ୍ରଥମେ ପାକିସ୍ତାନ ଗସ୍ତରେ ଆସିବେ। ଡାଭୋସରେ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଖାନ୍ଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ୍ ପାକିସ୍ତାନ ଗସ୍ତରେ ଆସିବା ପାଇଁ ପ୍ରତିଶୃତି ଦେଇଥିବା ଜଣାପଡ଼ିଛି। ଇମ୍ରାନ୍ ଟ୍ରମ୍ପ୍ଙ୍କ ସହ ଡାଭୋସ୍ରେ ଆଲୋଚନା ବେଳେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ତେବେ ଟ୍ରମ୍ପ୍ ପାକିସ୍ତାନ ଗସ୍ତରେ ଯିବା ନେଇ ଆମେରିକା ପକ୍ଷରୁ କୌଣସି ବିବୃତି ଦିଆଯାଇନାହିଁ।