ୱାସିଂଟନ: ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କାଶ୍ମୀରର ପର୍ଯ୍ୟଟନକୁ ନଷ୍ଟ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ଏହା ଭାରତ ବିରୋଧରେ ଏକ ଆର୍ଥିକ ଯୁଦ୍ଧ ବୋଲି ଆଜି ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି । ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପୂର୍ବରୁ ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ଆଲୋଚନାର ବିବରଣୀ ପ୍ରକାଶ କରି ଜୟଶଙ୍କର କହିଛନ୍ତି, ପାକିସ୍ତାନରୁ ସୃଷ୍ଟି ହେଉଥିବା ଆତଙ୍କବାଦର ଜବାବ ଦେବାରୁ ଭାରତକୁ କୌଣସି ପରମାଣୁ ବ୍ଲାକ୍ମେଲ୍ ରୋକିପାରିବ ନାହିଁ। ନ୍ୟୁୟର୍କରେ ନ୍ୟୁଜ୍ୱିକ୍ ସହିତ ଏକ ସ୍ୱତନ୍ତ୍ର ଆଲୋଚନାରେ, ଜୟଶଙ୍କର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ-ପାକିସ୍ତାନ ଅସ୍ତ୍ରବିରତି ସଂକ୍ରାନ୍ତ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅପରେସନ୍ ସିନ୍ଦୂର ସମୟରେ ଭାରତ ଏବଂ ପାକିସ୍ତାନ ଆମେରିକାର ଅସ୍ତ୍ରବିରତି ପ୍ରସ୍ତାବ ଗ୍ରହଣ କରିବାପାଇଁ ଟ୍ରମ୍ପ ବାଣିଜ୍ୟକୁ ବ୍ୟବହାର କରିଥିଲେ ବୋଲି ବାରମ୍ବାର ଦାବି କରିଥିବା ବେଳେ ଜୟଶଙ୍କର ଆଜି ଟ୍ରମ୍ପଙ୍କ ଏହି ଦାବିକୁ ଖଣ୍ଡନ କରିଛନ୍ତି।
ଜୟଶଙ୍କର କହିଛନ୍ତି, ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଥିଲେ ସେ ସମୟରେ ମୁଁ ପ୍ରଧାନମନ୍ତ୍ରୀଙ୍କ ସହ ସେଠାରେ ଥିଲି। ବାଣିଜ୍ୟ ଓ ଅସ୍ତ୍ରବିରତି ମଧ୍ୟରେ କିଛି ସଂପର୍କ ନାହିଁ ବୋଲି ସେ କହିଛନ୍ତି। ଜୟଶଙ୍କର କହିଛନ୍ତି ମେ’ ୯ ରାତିରେ ପାକିସ୍ତାନୀମାନେ ଭାରତ ଉପରେ ଆକ୍ରମଣ କରିଥିଲେ, କିନ୍ତୁ ଭାରତୀୟ ସେନା ବହୁତ ଶୀଘ୍ର ଏହାର ଜବାବ ଦେଇଥିଲେ। ୱାସିଂଟନ ସହିତ ପରବର୍ତ୍ତୀ ଯୋଗାଯୋଗ ପରଦିନ ସକାଳେ ବୈଦେଶିକ ମନ୍ତ୍ରୀ ଏବଂ ଆମେରିକାର ବୈଦେଶିକ ସଚିବଙ୍କ ମଧ୍ୟରେ ହୋଇଥିଲା। ମାର୍କୋ ରୁବିଓ ତାଙ୍କୁ କହିଥିଲେ ଯେ ‘ପାକିସ୍ତାନ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ’। ସେହି ଦିନ ଅପରାହ୍ନରେ, ପାକିସ୍ତାନର ସାମରିକ ଅଭିଯାନ ମହାନିର୍ଦ୍ଦେଶକ ମେଜର ଜେନେରାଲ କାଶିଫ ଅବଦୁଲ୍ଲା ସିଧାସଳଖ ତାଙ୍କ ଭାରତୀୟ ପ୍ରତିପକ୍ଷ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇଙ୍କୁ ଫୋନ୍ କରି ଯୁଦ୍ଧବିରତି ପାଇଁ ଅନୁରୋଧ କରିଥିଲେ। ତେଣୁ, କ’ଣ ଘଟିଛି ତାହା ମୁଁ କେବଳ ମୋର ବ୍ୟକ୍ତିଗତ ଅଭିଜ୍ଞତାରୁ କହିପାରିବି ବୋଲି ଜୟଶଙ୍କର ଏହି ସାକ୍ଷାତକାର ସମୟରେ କହିଥିଲେ।
ଜୟଶଙ୍କର କହିଛନ୍ତି, ବର୍ଷ ବର୍ଷ ଧରି ଭାରତ ପାକିସ୍ତାନ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଛି। ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଦେଶରେ ଏକ ଭାବନା ସୃଷ୍ଟି ହୋଇଛି ଯେ ‘ବହୁତ ହୋଇଗଲା’। ଏହା ଏକ ଆର୍ଥିକ ଯୁଦ୍ଧର କାର୍ଯ୍ୟ ଥିଲା। ଏହା କାଶ୍ମୀରରେ ପର୍ଯ୍ୟଟନକୁ ନଷ୍ଟ କରିବା ପାଇଁ ଉଦ୍ଦିଷ୍ଟ ଥିଲା, ଯାହା ଅର୍ଥନୀତିର ମୁଖ୍ୟ ଆଧାର ଥିଲା। ଏହା ଧାର୍ମିକ ହିଂସାକୁ ଉସୁକାଇବା ପାଇଁ ମଧ୍ୟ ଉଦ୍ଦିଷ୍ଟ ଥିଲା କାରଣ ଲୋକମାନଙ୍କୁ ହତ୍ୟା କରିବା ପୂର୍ବରୁ ସେମାନଙ୍କ ଧର୍ମ ପଚରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଭାରତ ବାରମ୍ବାର ମନା କରିବା ସତ୍ତ୍ୱେ, ଗତ ବୁଧବାର ଦିନ ହେଗ୍ରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ପୁଣିଥରେ କହିଥିଲେ ଯେ ମୁଁ ବାଣିଜ୍ୟ ଧମକ ଦେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି କରାଇଥିଲି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ଟ୍ରମ୍ପ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି ବୋଲି ବାରମ୍ବାର ଦାବି କରୁଥିବାରୁ ଆଜି ଜୟଶଙ୍କର ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି।