ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ ପରେ ଆଜି ଦୁଇ ଦେଶର ସାମରିକ ଅପରେସନ୍ ମହାନିର୍ଦ୍ଦେଶକ (ଡିଜିଏମ୍ଓ)ସ୍ତରୀୟ ଆଲୋଚନା ହୋଇଛି। ଦୁଇ ଦେଶର ବରିଷ୍ଠ ସେନା ଅଧିକାରୀଙ୍କ ମଧ୍ୟରେ ସନ୍ଧ୍ୟା ୫ଟାରେ ହୋଇଥିବା ଏହି ବୈଠକରେ ଉଭୟ ଭାରତ ଏବଂ ପାକିସ୍ତାନ ଅସ୍ତ୍ରବିରତି ଜାରି ରଖିବେ ବୋଲି ନିଷ୍ପତ୍ତି ନିଆଯାଇଛି। ସେହିଭଳି କେହି କାହା ବିରୋଧରେ ଆକ୍ରମଣାତ୍ମକ ଏବଂ ଘାତକ ଆଚରଣ ଦେଖାଇବେନି। ଏଥିସହିତ କେହି କାହା ବିରୋଧରେ ସୀମାରେ ଗୋଟିଏ ବି ଗୁଳି ନ ଫୁଟାଇବା ପାଇଁ ରାଜି ହୋଇଛନ୍ତି। ଉଭୟ ପକ୍ଷ ମଧ୍ୟ ସୀମା ଏବଂ ଆଗୁଆ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ସୁନିଶ୍ଚିତ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସହମତ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ, ପାକିସ୍ତାନୀ ଡିଜିଏମ୍ଓ ଗତ ଶନିବାର ଭାରତର ଡିଜିଏମ୍ଓଙ୍କୁ ଫୋନ କରି ଗୁଳିଗୋଳା ମାଡ଼ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ କହିଥିଲେ। ଏହାପରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଅସ୍ତ୍ରବିରତି ଘୋଷଣାର ପ୍ରାୟ ୩ ଘଣ୍ଟା ପରେ ପାକିସ୍ତାନ ଶନିବାର ରାତିରେ ପୂର୍ବପରି ଅନେକ ସମୟ ଧରି ଭାରତକୁ ଟାର୍ଗେଟ୍ କରି ଗୁଳିଗୋଳା ମାଡ଼ ସହିତ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ୧୦ ତାରିଖର ନିଷ୍ପତ୍ତି ମୁତାବକ ଏହି ଆଲୋଚନା ଆଜି ମଧ୍ୟାହ୍ନରେ ହେବାକୁ ଥିଲା। କିନ୍ତୁ କୌଣସି କାରଣରୁ ସନ୍ଧ୍ୟାକୁ ଏହି ବୈଠକ ଘୁଞ୍ଚିଥିଲା। ଆଲୋଚନାରେ ଭାରତ ପକ୍ଷରୁ ଡିଜିଏମ୍ଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଏବଂ ପାକିସ୍ତାନ ପକ୍ଷରୁ ଡିଜିଏମ୍ଓ ମେଜର ଜେନେରାଲ କାଶିଫ ଅବଦୁଲ୍ଲା ଭାଗ ନେଇଥିଲେ।