ଜାତିସଂଘରେ ଭାରତ-ପାକିସ୍ତାନ ମୁହାଁମୁହିଁ

ନୂଆଦିଲ୍ଲୀ: ଜାତିସଂଘରେ ଆଜି ପୁଣିଥରେ ପାକିସ୍ତାନକୁ ଆତଙ୍କବାଦ ପ୍ରସଙ୍ଗରେ ଭାରତ କଡ଼ା ଭାଷାରେ ସମାଲୋଚନା କରିଛି। ପୂର୍ବରୁ ପାକିସ୍ତାନକୁ ଟେରରିସ୍ତାନ, ଆତଙ୍କବାଦୀଙ୍କ ଭୂସ୍ୱର୍ଗ ବୋଲି କହିଥିବା ଭାରତ ଆଜି ପାକିସ୍ତାନକୁ ସ୍ୱତନ୍ତ୍ର ଆତଙ୍କବାଦୀ ଇଲାକା(ସ୍ପେସାଲ ଟେରରିଷ୍ଟ୍‍ ଜୋନ୍‌) କହି ଭର୍ତ୍ସନା କରିଛି। ଆଜି ଜେନେଭାରେ ଜାତିସଂଘ ମାନବିକ ଅଧିକାର ପରିଷଦର ୩୭ତମ ଅଧିବେଶନରେ ପାକିସ୍ତାନ ପୁଣି ଜମ୍ମୁ କଶ୍ମୀର ପ୍ରସଙ୍ଗ ଉଠାଇ ସେଠାରେ ମାନବିକ ଅଧିକାର ଉଲ୍ଳଂଘନ ହେଉଥିବା କହି ଭାରତକୁ ନିନ୍ଦିତ କରିବାକୁ ଚେଷ୍ଟା କରିଥିଲା। ତେବେ ପାକିସ୍ତାନ ଏହାର ଅସ୍ତ୍ରବିରତି ଉଲ୍ଲଂଘନ ବନ୍ଦ କରିବା ସହ ସ୍ୱତନ୍ତ୍ର ଆତଙ୍କବାଦୀ ଇଲାକାକୁ ଭଙ୍ଗ କରୁ ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରିବା ପାଇଁ ଯଥୋଚିତ ପଦକ୍ଷେପ ନେଉ ବୋଲି ଭାରତର ଦ୍ୱିତୀୟ ସଚିବ ମିନି ଦେବୀ କୁମମ୍‌ କହିଥିଲେ। ଆତଙ୍କବାଦ ହିଁ ମାନବିକ ଅଧିକାରକୁ ସର୍ବାଧିକ ଉଲଙ୍ଘନ କରୁଛି। ତେବେ ଜମ୍ମୁ କଶ୍ମୀରରେ ପ୍ରମୁଖ ସମସ୍ୟା ହେଉଛି ପାକିସ୍ତାନରୁ ବେଆଇନ ଅର୍ଥ ପାଇ ଏଠାରେ ଆତଙ୍କବାଦ ବୃଦ୍ଧି। ପାକିସ୍ତାନ ଦେଶରେ ଆତଙ୍କବାଦ କାର୍ଯ୍ୟକଳାପକୁ କ୍ରମାଗତ ସମର୍ଥନ ଜଣାଇ ନିଜ ମାଟିକୁ ଆତଙ୍କବାଦୀଙ୍କ ଭୂସ୍ୱର୍ଗରେ ପରିଣତ କରିଦେଇଛି ବୋଲି ଦର୍ଶାଇ ମିନି ଦେବୀ ପାକିସ୍ତାନ ବିରୋଧରେ ଏହି ‘ସ୍ପେସାଲ ଟେରୋରିଷ୍ଟ ଜୋନ୍‌’ ଶବ୍ଦ ପ୍ରୟୋଗ କରିଥିଲେ।

ସମ୍ବନ୍ଧିତ ଖବର