ନ୍ୟୁୟର୍କ: ବିଶ୍ବକପ୍ରେ ଭାରତ-ପାକିସ୍ତାନ ମ୍ୟାଚ୍ ଆମେରିକାର ସବୁଠୁ ଲୋକପ୍ରିୟ କ୍ରୀଡ଼ା ‘ସୁପର ବାଉଲ୍’ ସଦୃଶ ହେବ। ଯେଉଁ ଦଳ ଏହି ମ୍ୟାଚ୍ରେ ଚାପକୁ ନିୟନ୍ତ୍ରଣରେ ରଖିପାରିବ ସେହି ଦଳ ୯ ତାରିଖରେ ବିଜୟୀ ହେବ ବୋଲି ପାକିସ୍ତାନର ପୂର୍ବତନ କ୍ରିକେଟର୍ ତଥା ବିଶ୍ବକପ୍ ଆମ୍ବାସଡର ସାହିଦ ଆଫ୍ରିଦି କହିଛନ୍ତି। ଶେଷ ଥର ପାଇଁ ଏହି ଦୁଇ ଦଳ ଗତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଖେଳିଥିଲେ। ଏବେ ଆମେରିକାରେ ପ୍ରଥମ ଥର ପାଇଁ କ୍ରିକେଟ୍ର ମହାକୁମ୍ଭ ଆୟୋଜିତ ହୋଇଛି। ତେଣୁ ଆମେରିକୀୟମାନେ ଜାତୀୟ ଫୁଟ୍ବଲ୍ ଲିଗ୍ (ଏନ୍ଏଫ୍ଏଲ୍) ସୁପର ବାଉଲ୍ (ଫାଇନାଲ୍ ମ୍ୟାଚ୍) ର ଉତ୍କଣ୍ଠା ଏହି ମ୍ୟାଚ୍ରେ ଦେଖିପାରିବେ ବୋଲି ଆଫ୍ରିଦି କହିଛନ୍ତି।
ସେ ଆହୁରି କହିଛନ୍ତି, ଭାରତ ସହିତ ଖେଳିବାକୁ ବହୁତ ଭଲ ଲାଗିଥାଏ ଏବଂ ଖେଳ ଭିତରେ ଏହି ଦୁଇ ଦଳ ସବୁଠୁ ବଡ଼ ପ୍ରତିଦ୍ବନ୍ଦ୍ବୀ। ଯେତେବେଳେ ବି ଭାରତ ସହିତ ମ୍ୟାଚ୍ ଖେଳିଥାଏ, ସେତେବେଳେ ଭାରତୀୟ ପ୍ରଶଂସକଙ୍କଠୁ ଭଲପାଇବା ଓ ସମ୍ମାନ ମିଳିଥାଏ। ଏହାହିଁ ଉଭୟ ଦଳଙ୍କ ପାଇଁ ବହୁତ ବଡ଼ କଥା ପାଲଟିଯାଇଥାଏ। କିନ୍ତୁ ଭାରତ ସହିତ ଖେଳିବା ବେଳେ ସବୁବେଳେ ଚାପ ରହିଥାଏ। ଉଭୟ ଦଳରେ ଅନେକ ପ୍ରତିଭାବାନ୍ ଖେଳାଳି ଥା’ନ୍ତି। ମ୍ୟାଚ୍ ବେଳକୁ ସମସ୍ତେ ପ୍ରସ୍ତୁତ ହୋଇଯାଆନ୍ତି। ତେଣୁ ଏହି ବିଶ୍ବକପ୍ରେ ମଧ୍ୟ ସେଭଳି ସ୍ଥିତି ରହିବ। କିନ୍ତୁ ଯେଉଁ ଦଳ ଚାପ ପରିଚାଳନାରେ ସଫଳ ହୋଇଯିବ, ସେହି ଦଳ ବିଜୟୀ ହେବ ବୋଲି ସେ କହିଛନ୍ତି।