ଜୁନ୍‌ ମାସରେ ଭାରତ ଓ ପାକିସ୍ତାନକୁ ଆସିବେ ବହୁ ସଂଖ୍ୟକ ପଙ୍ଗପାଳ

ନୂଆଦିଲ୍ଲୀ: ଏ ବର୍ଷ ଜୁନ୍‌ ମାସ ଠାରୁ ଭାରତ ଓ ପାକିସ୍ତାନର ମରୁଭୂମି ଅଞ୍ଚଳକୁ ବହୁ ସଂଖ୍ୟକ ପଙ୍ଗପାଳ ଆସିବେ ବୋଲି ସୂଚନା ମିଳିଛି।

ଏହି ପଙ୍ଗପାଳମାନେ ଏକକାଳୀନ ପ୍ରାୟ ୨ ଲକ୍ଷ ବର୍ଗ କିଲୋମିଟର୍‌ ଅଞ୍ଚଳରେ ମାଡ଼ିଯାଇ ଫସଲ ନଷ୍ଟ କରି ପକାଇବେ। ଆକଳନରୁ ଜଣାପଡ଼ିଛି ଯେ ଏକ ଲକ୍ଷ ବର୍ଗ କିଲୋମିଟର୍‌ ଅଞ୍ଚଳରେ ପ୍ରାୟ ୪୦ ନିୟୁତ ପଙ୍ଗପାଳ ଥାଆନ୍ତି। ୪୦ ନିୟୁତ ପଙ୍ଗପାଳ ଗୋଟିଏ ଦିନରେ ଯେତିକି ଫସଲ ଖାଇବେ ସେତିକି ଫସଲ ହେଉଛି ୩୫, ୦୦୦ ଜଣ ବ୍ୟକ୍ତିଙ୍କର ଦିନକର ଆହାର।

ମୌସୁମୀ ବାୟୁ ପ୍ରବାହଜନିତ ବର୍ଷା ଆରମ୍ଭ ହେବା ମାତ୍ରେ ଏହି ପଙ୍ଗପାଳଗୁଡ଼ିକ ଦକ୍ଷିଣପୂର୍ବ ଇରାନ୍‌, ଦକ୍ଷିଣପଶ୍ଚିମ ପାକିସ୍ତାନ ଏବଂ ହର୍ଣ୍ଣ ଅଫ୍‌ ଆଫ୍ରିକାରୁ (ଆଫ୍ରିକାର ଏକ ଉପଦ୍ୱୀପ) ମାଡ଼ି ଆସିବେ। ଝିଣ୍ଟିକା ପ୍ରଜାତିର ଏହି ପତଙ୍ଗମାନେ ବସନ୍ତଋତୁରେ ଜନ୍ମ ହୋଇ ଥାଆନ୍ତି।

Image Source: The Times of India

ଏ ବର୍ଷ ଶୀତଋତୁରେ ମଧ୍ୟ ପାକିସ୍ତାନ ଓ ଭାରତର କିଛି ମରୁ ଅଞ୍ଚଳରେ ପଙ୍ଗପାଳ ଦେଖାଦେଇଥିଲେ। ଜାନୁଆରି ମାସ ଶେଷ ସୁଦ୍ଧା ସେମାନଙ୍କୁ ଦମନ କରାଯାଇଥିଲା। ଏହି ପତଙ୍ଗମାନଙ୍କୁ ନିୟନ୍ତ୍ରଣ କରିବାକୁ ଉଭୟ ଦେଶର ସହଯୋଗ ପାଇଁ ୫ଟି ବୈଠକ ମଧ୍ୟ ବସିଥିଲା। ଗତ ବର୍ଷ ଜୁନ୍‌ ରୁ ଡିସେମ୍ବର ମଧ୍ୟରେ ଭାରତର ମୁନାବାଓ ଏବଂ ପାକିସ୍ତାନର ଖୋଖୋରପାର୍‌ ଠାରେ ଉଭୟ ଦେଶର ପ୍ରତିନିଧିମାନଙ୍କ ମଧ୍ୟରେ ଏ ବିଷୟରେ ଆଲୋଚନା ହୋଇଥିଲା।

ପଙ୍ଗପାଳ ଆକ୍ରମଣକ ଯୋଗୁଁ ପାକିସ୍ତାନରେ ଜାତୀୟ ଜରୁରୀ ପରିସ୍ଥିତି ଜାରି କରାଯାଇଥିଲା। କିନ୍ତୁ, ଭାରତ ସଫଳତାର ସହ ପଙ୍ଗପାଳ ନିୟନ୍ତ୍ରଣ କରି ପାରିଥିଲା।

ଏ ବର୍ଷ ମଧ୍ୟ ପଙ୍ଗପାଳଙ୍କୁ ମୁକାବିଲା କରିବାକୁ ଭାରତ ବ୍ୟାପକ ପ୍ରସ୍ତୁତି ଚଳାଇଛି। ପଙ୍ଗପାଳମାନଙ୍କୁ ଘଉଡ଼ାଇବା ଲାଗି କେନ୍ଦ୍ର ସରକାର ୬୦ ସ୍ୱତନ୍ତ୍ର ସ୍ପ୍ରେୟର୍‌ ଖରିଦ କରିବେ। ଏହି ସ୍ପ୍ରେୟର୍‌ଗୁଡ଼ିକୁ ହେଲିକପ୍ଟର୍‌ ଓ ଡ୍ରୋନ୍‌ରେ ଲଗାଯାଇ ଉପରୁ ଫସଲ ଜମିରେ କୀଟନାଶକ ପ୍ରୟୋଗ କରାଯିବ।

ସମ୍ବନ୍ଧିତ ଖବର