ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ମଧ୍ୟରେ ନ୍ୟୁୟର୍କରେ ହେବାକୁ ଥିବା ମନ୍ତ୍ରୀସ୍ତରୀୟ କଥାବାର୍ତ୍ତାକୁ ଆଜି ଭାରତ ରଦ୍ଦ କରିଛି। ପାକିସ୍ତାନ ସେନା ଓ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ଷଡ଼ଯନ୍ତ୍ରକ୍ରମେ କଶ୍ମୀରରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଲଗାତାର ଆକ୍ରମଣ କରାଯିବାରୁ ଏଥିରେ କ୍ଷୁବ୍ଧ ଭାରତ କଥାବାର୍ତ୍ତା ରଦ୍ଦ କରିଛି। ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରବୀଶ କୁମାର କହିଛନ୍ତି, ଇମ୍ରାନ୍ ଖାନ୍ ସରକାରର ଅସଲ ରୂପ ଏବେ ସାମ୍ନାକୁ ଆସିଛି। ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ଙ୍କ ଚିଠିକୁ ସମ୍ମାନ ଜଣାଇ ଭାରତ କଥାବାର୍ତ୍ତା ପାଇଁ ରାଜି ହୋଇଥିଲା, କିନ୍ତୁ ପାକିସ୍ତାନରୁ ପରିଚାଳିତ କେତେକ ସଂସ୍ଥା କଶ୍ମୀରରେ ଯେଉଁ ବର୍ବର କାଣ୍ଡ ଘଟାଇ ଚାଲିଛନ୍ତି ତାହାକୁ କୌଣସି ସଭ୍ୟ ରାଷ୍ଟ୍ର ଗ୍ରହଣ କରିବ ନାହିଁ। ଇମ୍ରାନ ସରକାରଙ୍କ ଅସଲ ଚେହେରା ଏହାର କାର୍ଯ୍ୟକାଳ ଆରମ୍ଭରୁ ହିଁ ପଦାରେ ପଡ଼ିଯାଇଛି। ଜଣେ ଭାରତୀୟ ଯବାନଙ୍କୁ ଗୁଳି ପରେ ପାକ୍ ସେନା ଯେଭଳି ଗଳା କାଟିଲା ଏବଂ ଆତଙ୍କବାଦୀଙ୍କୁ ମହିମାମଣ୍ଡନ କରି ସେମାନଙ୍କ ସମ୍ମାନାର୍ଥେ ପାକିସ୍ତାନ ସରକାର ଡାକଟିକଟ ଜାରି କଲେ ତାହା ପାକିସ୍ତାନର ଦୋମୁହାଁ ନୀତିକୁ ପଦାରେ ପକାଇ ଦେଇଛି। ଏହାକୁ ଭାରତ ଦୃଢ଼ ବିରୋଧ କରିବା ସହ କଥାବାର୍ତ୍ତାକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସାଂପ୍ରତିକ ସ୍ଥିତିରେ ପାକିସ୍ତାନ ସହ କଥାବାର୍ତ୍ତା ଅର୍ଥହୀନ ବୋଲି ରବୀଶ କୁମାର କହିଛନ୍ତି। ଚଳିତମାସ ଶେଷଭାଗରେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେଶିଙ୍କ ମଧ୍ୟରେ ଆଲୋଚନା ପାଇଁ ଗତକାଲି ସରକାର ସବୁଜ ସଙ୍କେତ ଦେଇଥିଲେ। ଇମ୍ରାନ୍ ଖାନ୍ଙ୍କ ପକ୍ଷରୁ ଚିଠି ଲେଖାଯିବା ପରେ ଭାରତ ଏହି ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଥିଲା। ତେବେ କଶ୍ମୀରରେ ଲଗାତାର ହିଂସା ସୃଷ୍ଟି ପଛରେ ପାକ୍ ସେନା ଓ ଆଇଏସ୍ଆଇର ହାତ ଥିବାରୁ ଏବେ କଥାବାର୍ତ୍ତା ଆଉ ସମ୍ଭବ ନୁହେଁ ବୋଲି ପାକ୍ ହାଇକମିସନରଙ୍କ ମାଧ୍ୟମରେ ଭାରତ ଜଣାଇ ଦେଇଛି। ଇମ୍ରାନଙ୍କ ପତ୍ରରେ ଶାନ୍ତି ପାଇଁ ସକରାତ୍ମକ ପଦକ୍ଷେପ ନେବାକୁ କୁହାଯାଇଥିବା ବେଳେ ଅସଲରେ ପାକିସ୍ତାନ ଏହାର ଓଲଟା କାର୍ଯ୍ୟକରି ତା’ର ଶଇତାନୀ କାର୍ଯ୍ୟକଳାପକୁ ପ୍ରତିପାଦିତ କରୁଛି ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସୀମାପାର ଆତଙ୍କବାଦ ନେଇ ପାକିସ୍ତାନ ଅନ୍ତର୍ଜାତୀୟ ସମୁଦାୟକୁ ବିଭ୍ରାନ୍ତ କରୁଛି ଏବଂ ଭାରତ ବିରୋଧରେ ଲଗାତାର ଷଡ଼ଯନ୍ତ୍ର ଜାରି ରଖିଛି। ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଜୈଶ ଏ ମହମ୍ମଦ ଏବଂ ଲସ୍କର ଏ ତୋଏବା ଜମ୍ମୁ କଶ୍ମୀରରେ ହିଂସା ଘଟାଇବା ପାଇଁ ପାକିସ୍ତାନ ସେନା ଏବଂ ଆଇଏସ୍ଆଇଠାରୁ ସମସ୍ତ ପ୍ରୋତ୍ସାହନ ପାଉଛନ୍ତି। ପାକିସ୍ତାନ ସେନା ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ସହଜ କରାଇବା ପାଇଁ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ଏବଂ ଭାରତ ଏହାକୁ ବରଦାସ୍ତ କରିବ ନାହିଁ ବୋଲି ଚେତାଇ ଦେଇଛି।