ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆକ୍ରମଣ ପରେ ଭାରତ ଏବେ ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛି। ଅନ୍ୟପକ୍ଷରେ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲେ ଏହାର କଡ଼ା ଜବାବ ମିଳିବ ବୋଲି ପାକିସ୍ତାନ ତୁହାକୁ ତୁହା ଧମକ ଦେଉଥିବାରୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି। ଭାରତର ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ ମଙ୍ଗଳବାର ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକ ୪୦ ମିନିଟ୍ ଧରି ଚାଲିଥିଲା ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି। ଆତଙ୍କବାଦ ବିରୋଧରେ ଲଢ଼େଇ ନେଇ ଭାରତ ବିକଳ୍ପଗୁଡ଼ିକର ଆକଳନ କରୁଥିବା ବେଳେ ତିନି ସେନା ବ୍ୟାପକ ପ୍ରସ୍ତୁତି ଚଳାଇଛି। ଦିନକ ପୂର୍ବରୁ ଡୋଭଲ ଏବଂ ଗୃହ ସଚିବ ଗୋବିନ୍ଦ ମୋହନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।
ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ହିନ୍ଦୁ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରଧାନମନ୍ତ୍ରୀ ଏବଂ ଶୀର୍ଷ ସୁରକ୍ଷା ଓ ପ୍ରତିରକ୍ଷା ଅଧିକାରୀଙ୍କ ମଧ୍ୟରେ କ୍ରମାଗତ ବୈଠକ ଜାରି ରହିଛି। ସୋମବାର ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଏବଂ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂହ ସାକ୍ଷାତ କରି ସ୍ଥିତି ସମୀକ୍ଷା କରିବା ସହ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। ନୌସେନା ମୁଖ୍ୟ ଆଡମିରାଲ ଦୀନେଶ କେ ତ୍ରିପାଠୀ ମଧ୍ୟ ସାମୁଦ୍ରିକ ସୁରକ୍ଷା ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି।
ଭାରତ ଏବେ ନିଜର ବେସାମରିକ ଭିତ୍ତିଭୂମି ମଧ୍ୟ ସୁଦୃଢ଼ କରୁଛି। ବୁଧବାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ମକ୍ ଡ୍ରିଲ୍ କରାଯିବ। ଏହି ଅଭ୍ୟାସରେ ବ୍ଲାକ୍-ଆଉଟ୍, ଏୟାର-ରେଡ୍ ସାଇରନ୍ କାର୍ଯ୍ୟକ୍ଷମ କରିବା, ସ୍ଥାନାନ୍ତର, ରେଡିଓ ଏବଂ ହଟ୍ଲାଇନ ଲିଙ୍କ୍ ପରୀକ୍ଷା କରିବା ଆଦି ଅନ୍ତର୍ଭୁକ୍ତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/07/3Ncuk05E88wmR9SFgO8A.jpg)