ଇସଲାମାବାଦ : ଭୟଙ୍କର ବନ୍ୟାକୁ ସାମ୍ନା କରୁଥିବା ପାକିସ୍ତାନ ପୁଣି ଥରେ ଭାରତ ସହ ବାଣିଜ୍ୟ କାରବାର ଆରମ୍ଭ କରିବାକୁ ଚାହୁଛି। ବନ୍ୟା ଓ ଦରବୃଦ୍ଧି ଯୋଗୁଁ ପାକିସ୍ତାନରେ ଅଣାୟତ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ତାହାର ମୁକାବିଲା କରିବା ଲାଗି ପାକିସ୍ତାନ ସରକାର ଭାରତ ପାଇଁ ନିଜର ବାଣିଜ୍ୟ ପଥ ଖୋଲିବା ଉପରେ ବିଚାର କରୁଛନ୍ତି ବୋଲି ପାକିସ୍ତାନର ଅର୍ଥମନ୍ତ୍ରୀ ଇଫ୍ତା ଇସ୍ମାଇଲ୍ କହିଛନ୍ତି।
ଭାରତରୁ ପନିପରିବା ଓ ଖାଇବା ତେଲ ଆମଦାନି କରିବା ଉପରେ ପାକିସ୍ତାନ ବିଚାର କରୁଛି। ପାକିସ୍ତାନ ଏହାର ପିଆଜ ଓ ଟମାଟୋ ଆବଶ୍ୟକତାକୁ ଆଫଗାନିସ୍ତାନ ଜରିଆରେ ପୂରଣ କରୁଛି। ଜମ୍ମୁ କାଶ୍ମୀର ପାଇଁ ରହିଥିବା ଧାରା ୩୭୦କୁ ଭାରତ ସରକାର ଉଚ୍ଛେଦ କରିବା ପରେ ପ୍ରତିବାଦ ସ୍ବରୂପ ୨୦୧୯ ଅଗଷ୍ଟରେ ଭାରତ ସହ ବାଣିଜ୍ୟ କାରବାରକୁ ପାକିସ୍ତାନ ବନ୍ଦ କରିଦେଇଥିଲା।