କଥାବାର୍ତ୍ତାରେ ହିଁ ଭାରତ ସହ ଶାନ୍ତି ସମ୍ଭବ: ପାକ୍‌ ସେନା ମୁଖ୍ୟ

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ କେବଳ ଆଲୋଚନା ମାଧ୍ୟମରେ ହିଁ ସମ୍ଭବ ହୋଇପାରିବ। ପାକିସ୍ତାନକୁ ସମ୍ମାନ ଓ ସ୍ୱାଭିମାନର ସହ ଆଲୋଚନା ପାଇଁ ସୁଯୋଗ ମିଳିଲେ ଏ ବାବଦ ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି ଆଜି ପାକିସ୍ତାନ ସେନା ମୁଖ୍ୟ କମର୍‌ ଜାଭେଦ୍‌ ବଜ୍‌ଓ୍ଵା କହିଛନ୍ତି। କାକୁଲ୍‌ ସ୍ଥିତ ପାକିସ୍ତାନ ମିଲିଟାରି ଏକାଡେମିରେ ଉଦ୍‌ବୋଧନ ଦେଇ ବଜ୍‌ଓ୍ଵା କହିଛନ୍ତି ଯେ ଭାରତ ସହ କଶ୍ମୀର ସମେତ ସମସ୍ତ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ଇସଲାମାବାଦ ସର୍ବଦା ଆଗ୍ରହୀ। ପାକିସ୍ତାନ ଏକ ଶାନ୍ତି ପ୍ରୀୟ ଦେଶ ଏବଂ ବିଶେଷ କରି ପଡୋଶୀ ରାଷ୍ଟ୍ରଗୁଡ଼ିକ ସହ ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରିବାକୁ ଚାହେ। ଭାରତ ଓ ପାକିସ୍ତାନ ମଧ୍ୟରେ ରହିଥିବା ସବୁ ବିବାଦର ସମାଧାନ କେବଳ ବିସ୍ତତ ଆଲୋଚନା ଏବଂ କଥାବାର୍ତ୍ତା ମାଧ୍ୟମରେ ହିଁ ସମ୍ଭବ ହେବ ବୋଲି ବଜ୍‌ଓ୍ଵା ଗୁରୁତ୍ୱାରୋପ କରିଛନ୍ତି। ତେବେ ପାକିସ୍ତାନ ସେନାବାହିନୀ ଯେକୌଣସି ଚ୍ୟାଲେଂଜର ସମ୍ମୁଖୀନ ହେବାକୁ ସକ୍ଷମ ବୋଲି ସେ କହିଛନ୍ତି। ପାକିସ୍ତାନ ନିଜର ସମ୍ମାନ ଓ ସାର୍ବଭୌମତ୍ୱକୁ ଅଣଦେଖା କରିପାରିବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର