ରବି ନଦୀରେ ଭାରତର ବିଶାଳ ବନ୍ଧ ଯୋଜନା, ପାକିସ୍ତାନକୁ ଜଳ ପ୍ରବାହ କମିବ

ନୂଆଦିଲ୍ଲୀ : ପଞ୍ଜାବରେ ରବି ନଦୀ ଉପରେ ଏକ ବିଶାଳ ନଦୀବନ୍ଧ ଯୋଜନାକୁ ଆଜି କେନ୍ଦ୍ର ସରକାର ମଂଜୁରି ପ୍ରଦାନ କରିଛନ୍ତି। ଶାହପୁରକନ୍ଦୀ ନଦୀ ବନ୍ଧ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାପାଇଁ କେନ୍ଦ୍ର ଅନୁମତି ଦେଇଛି। ୨୦୨୨ ଜୁନ୍‌ ସୁଦ୍ଧା ଏହି ନଦୀବନ୍ଧ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହାଦ୍ବାରା ରବି ନଦୀର ଯେଉଁ ଜଳ ମା‌ଧୋପୁର ଦେଇ ପାକିସ୍ତାନକୁ ବହି ଯାଉଛି ତାକୁ ଅଟକାଇ ହେବ। ଥରେ ଏହି ନଦୀ ବନ୍ଧ ନିର୍ମାଣ କାର୍ଯ୍ୟ ଶେଷ ହୋଇଗଲେ ଏହା ଜମ୍ମୁ କଶ୍ମୀର ଏବଂ ପଞ୍ଜାବର ଚାଷୀମାନଙ୍କର ଜଳସେଚନ କ୍ଷମତା ମଧ୍ୟ ବୃଦ୍ଧି କରିଦେବ। ୧୭ ବର୍ଷ ପୂର୍ବେ ୨,୨୮୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାରେ ଏହି ପ୍ରକଳ୍ପ ଯୋଜନା କରାଯାଇଥିଲେ ମଧ୍ୟ ପାଣ୍ଠି ଅଭାବରୁ ଏହାକୁ କାର୍ଯ୍ୟକାରୀ କରାଯାଇନଥିଲା। ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପାଇଁ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି। ଭାରତ-ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳଚୁକ୍ତିର ପ୍ରାବଧାନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଭାରତର ୩ଟି ପୂର୍ବ ନଦୀ ରବୀ, ବୀସ୍‌ ଏବଂ ସତଲୁଜ୍‌ର ଜଳ ବ୍ୟବହାର ପାଇଁ ପୂର୍ଣ୍ଣ ଅଧିକାର ଅଛି। କେନ୍ଦ୍ର ଏହି ପ୍ରକଳ୍ପ ପାଇଁ ୪୮୫କୋଟି ଟଙ୍କା ସହାୟତା ଯୋଗାଇ ଦେବ।

ସମ୍ବନ୍ଧିତ ଖବର