ପାକିସ୍ତାନକୁ ଯାଉଥିବା ନଦୀଗୁଡ଼ିକର ପାଣି ଅଟକାଇବାକୁ ଭାରତର ଯୋଜନା

ରୋହତକ୍‌ : ଭାରତରୁ  ପାକିସ୍ତାନକୁ ଯାଉଥିବା ନଦୀଗୁଡ଼ିକର ପାଣିକୁ ନିୟନ୍ତ୍ରଣ କରାଯିବ । ବଳକା ପାଣିକୁ ବନ୍ଧ ବାନ୍ଧି ଆମ ଦେଶରେ ଚାଷୀମାନଙ୍କୁ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ପରିବହନ ଓ ଜଳସଂପଦ ମନ୍ତ୍ରୀ ନିତିନ ଗଡ଼କରି ।

ହରିୟାନାର ରୋହତକଠାରେ ଏକ କୃଷକ ସମାବେଶକୁ ଉଦବୋଧନ  ଦେଇ ସେ କହିଛନ୍ତି ଯେ ସିନ୍ଧୁ ନଦୀ ଜଳବଣ୍ଟନ ଚୁକ୍ତି ଅନୁସାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଜଳ ବଣ୍ଟନ ହେଉଛି । ତେବେ ଭାରତ ନିଜ ଭାଗର ଅଧିକାଂଶ ଜଳ ମଧ୍ୟ ପାକିସ୍ତାନକୁ ପ୍ରଦାନ କରୁଛି । ନେହେରୁଙ୍କ ଅମଳରୁ ଏପରି ଚଳିଆସିଛି । କିନ୍ତୁ ଆମ ଦେଶରେ ଜଳ ଅଭାବ ଥିବାବେଳେ ଆମ ଭାଗ ଜଳ  ଆମଦେଶରେ ବିନିଯୋଗ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।  ଏଥିପାଇଁ ଉତ୍ତରାଖଣ୍ଡରେ ତିନୋଟି ଡ୍ୟାମ ନିର୍ମାଣ କରାଯିବ । ପାକିସ୍ତାନକୁ ଯାଉଥିବା ପାଣିକୁ ଏହି ବନ୍ଧଗୁଡ଼ିକ ଦ୍ୱାରା ଅଟକାଇ ଯମୁନା ବାଟ ଦେଇ ହରିୟାନାକୁ ପଠାଯିବ । ଏହା ଫଳରେ ପଂଜାବ ଓ ହରିୟାନାରେ ଦେଖାଦେଉଥିବା ଜଳସଂକଟର ସମାଧାନ ହୋଇପାରିବ । ଏହି ଜଳକୁ ଅନ୍ୟ ରାଜ୍ୟଗୁଡିକୁ ମଧ୍ୟ ନିଆଯିବ ।

ସୂଚନାଯୋଗ୍ୟ ଯେ ହିମାଳୟରୁ ବାହାରି ଥିବା ୬ଟି ନଦୀ ଭାରତ ବାଟଦେଇ ପାକିସ୍ତାନକୁ ଯାଉଛନ୍ତି ସେଗୁଡ଼ିକ ହେଲେ ସିନ୍ଧୁ, ରବି, ଚେନାବ,ଝେଲମ, ସତଲେଜ ଓ ବ୍ୟାସ ।

 

 

 

ସମ୍ବନ୍ଧିତ ଖବର