ନୂଆଦିଲ୍ଲୀ: କୋହିନୂର୍ ହୀରା ସମେତ ସମଗ୍ର ଇଂଲଣ୍ଡ୍ ସଂଗ୍ରହାଳୟଗୁଡ଼ିକରେ ଥିବା ବିଭିନ୍ନ ପ୍ରତିମା ଏବଂ ଭାସ୍କର୍ଯ୍ୟ ଭଳି ଉପନିବେଶୀୟ ଅମଳର କଳାକୃତି ସବୁ ସ୍ବଦେଶ ଫେରାଇ ଆଣିବା ପାଇଁ ଭାରତ ଯୋଜନା କରୁଥିବା କଥା ବ୍ରିଟିଶ୍ ସମ୍ବାଦପତ୍ର ‘ଦି ଟେଲିଗ୍ରାଫ୍’ ଶନିବାର ଦିନ ରିପୋର୍ଟ କରିଛି।
ଭାରତ ଓ ଇଂଲଣ୍ଡ ମଧ୍ୟରେ ହେଉଥିବା କୂଟନୈତିକ ଓ ବ୍ୟାବସାୟିକ ଆଲୋଚନା ସମୟରେ ଏହି ପ୍ରସଙ୍ଗ ଉତ୍ଥାପନ ଉପରେ ନରେନ୍ଦ୍ର ମୋଦୀ ନେତୃତ୍ବାଧୀନ ସରକାର ଗୁରୁତ୍ବ ଦେବେ ବୋଲି ‘ଦି ଡେଲି ଟେଲିଗ୍ରାଫ୍’ ରିପୋର୍ଟ କରିଛି।
ସେହିପରି, ‘ଦି ଆର୍କିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ’ (ଏଏସ୍ଆଇ) ମଧ୍ୟ ସ୍ବାଧୀନତା ସମୟରୁ ଦେଶରୁ ଚୋରାଚାଲାଣ ହୋଇଯାଇଥିବା ବିଭିନ୍ନ ପ୍ରାଚୀନ କଳାକୃତି ଉପରେ ପୁନର୍ବାର ଦାବି କରିବ ବୋଲି ଚାହୁଁଛି। ଉପନିବେଶୀୟ ଶାସନ ବେଳେ ଯୁଦ୍ଧରେ ବିଜୟୀ ହେବା ପରେ ହେଉ ଅଥବା ଉତ୍ସାହୀ ବ୍ୟକ୍ତିବିଶେଷଙ୍କଦ୍ବାରା ସଂଗୃହୀତ ହୋଇ ଇଂଲଣ୍ଡ୍କୁ ଚାଲିଯାଇ ସମ୍ପ୍ରତି ସେଠାକାର ବିଭିନ୍ନ ପ୍ରତିଷ୍ଠାନରେ ରଖାଯାଇଥିବା ପ୍ରାଚୀନ କଳାକୃତି ସବୁକୁ ଫେରାଇଆଣିବା ଲାଗି କୂଟନୈତିକ ଉଦ୍ୟମ ଆରମ୍ଭ ହୋଇଛି। ଏହି ସବୁ ସାମଗ୍ରୀ ଫେରାଇ ଦେବା ପାଇଁ ସେଠାକାର ବିଭିନ୍ନ ପ୍ରତିଷ୍ଠାନକୁ ବିଧିବଦ୍ଧ ଅନୁରୋଧ କରିବା ଲାଗି ଲଣ୍ଡନ୍ସ୍ଥିତ ଭାରତୀୟ କୂଟନୀତିଜ୍ଞମାନଙ୍କୁ ନୂଆଦିଲ୍ଲୀର ସରକାରୀ ଅଧିକାରୀମାନେ ସହଯୋଗ କରୁଛନ୍ତି।
ଭାରତୀୟ ପ୍ରାଚୀନ କଳାକୃତିଗୁଡ଼ିକୁ ସ୍ବେଚ୍ଛାକୃତ ଭାବେ ଫେରାଇ ଦେବାକୁ ଆଗ୍ରହୀ ଛୋଟ ଛୋଟ ସଂଗ୍ରହାଳୟ ଏବଂ ଘରୋଇ ସଂଗ୍ରହକାରୀମାନଙ୍କଠାରୁ ଏହି କାର୍ଯ୍ୟ ଆରମ୍ଭ ହେବ। ତା’ପରେ ବଡ଼ ବଡ଼ ପ୍ରତିଷ୍ଠାନ ଓ ରାଜାଘର ସଂଗ୍ରହାଳୟରେ ଥିବା ଭାରତୀୟ ଶିଳ୍ପକୃତି ବା କଳାକୃତି ଆଦି ଫେରସ୍ତ ଆଣିବାକୁ ଉଦ୍ୟମ କରାଯିବ ବୋଲି ‘ଦି ଡେଲି ଟେଲିଗ୍ରାଫ୍’ ରିପୋର୍ଟରେ ଉଲ୍ଲେଖ ଅଛି।
ପ୍ରଖ୍ୟାତ କୋହିନୂର୍ ହୀରା ସମେତ ବ୍ରିଟିଶ୍ ସଂଗ୍ରହାଳୟରେ ଥିବା ହିନ୍ଦୁ ଦେବାଦେବୀ ପ୍ରତିମା,ଏକ ବୌଦ୍ଧସ୍ତୂପରୁ ସିଭିଲ୍ ସର୍ଭେଣ୍ଟ୍ ସାର୍ ୱାଲ୍ଟର୍ ଏଲିଅଟ୍ ନେଇଯାଇଥିବା ଅମରାବତୀ ମାର୍ବଲ୍ ଏବଂ ଭିକ୍ଟୋରିଆ ଓ ଆଲବର୍ଟ ସଂଗ୍ରହାଳୟରେ ଥିବା ଭାରତୀୟ ପ୍ରାଚୀନ କଳାକୃତିଗୁଡ଼ିକୁ ସ୍ବଦେଶ ଫେରାଇ ଆଣିବାକୁ ଭାରତ ଦାବି କରିବ।