ନୂଆଦିଲ୍ଲୀ: ଜାତିସଂଘର ଆତଙ୍କବାଦ ନିରୋଧୀ ସଭାରେ ଏକ ଅଦ୍ଭୂତପୂର୍ବ ଘଟଣାକ୍ରମରେ ଭାରତ ଶୁକ୍ରବାର ଦିନ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନର ମୁଖା ଖୋଲିଦେଇଛି। ଜାତିସଂଘର ଏକ ଭରପୂର ସଭାରେ ପାକ୍‌ ଆତଙ୍କବାଦୀ ସାଜିଦ ମୀରର ଏକ ଅଡିଓଟେପ୍‌କୁ ବଜାଇ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନର ଭୂମିକାର ପର୍ଦ୍ଦାଫାଶ କରିଛି ଭାରତ।

Advertisment

ଜାତିସଂଘରେ ବଜା ଯାଇଥିବା ଅଡିଓ କ୍ଲିପ୍‌ରେ ମୁମ୍ବାଇର ୨୬/୧୧ ଆତଙ୍କବାଦୀ ଆକ୍ରମଣ ସମୟରେ ଚାବାଦ ହାଉସ୍‌ ଉପରେ ହୋଇଥିବା ଆକ୍ରମଣର ନିର୍ଦ୍ଦେଶ ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରୁ ଏକ ଆତଙ୍କବାଦୀ ନିକଟରୁ ଆସୁଥିବା ଶୁଣିବାକୁ ମିଳିଛି। ଏହି ଅଡିଓ କ୍ଲିପ୍‌ ବଜାଇ ଭାରତ ମୁମ୍ବାଇ ଆକ୍ରମଣ ଘଟଣାରେ ପାକିସ୍ତାନୀ ଆତଙ୍କବାଦୀଙ୍କ ସଂପୃକ୍ତି ନେଇ ଜାତିସଂଘରେ ଅକାଟ୍ୟ ପ୍ରମାଣ ଉପସ୍ଥାପନ କରିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଆତଙ୍କବାଦ ନିରୋଧୀ କମିଟି ବୈଠକରେ ଗୁଇନ୍ଦା ବିଭାଗର ଜଣେ ବରିଷ୍ଠ ଅଧିକାରୀ ପଙ୍କଜ ଠାକୁର ଏହି ଅଡ଼ିଓ କ୍ଲିପକୁ୍‌ ବଜାଇଥିଲେ।

publive-image

ଏହି ଅଡିଓ କ୍ଲିପ୍‌ରେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ର ମୁଜାଫରାବାଦରୁ ସାଜିଦ ମୀର ଆତଙ୍କବାଦୀମାନଙ୍କୁ ନିର୍ଦ୍ଦେଶ ଦେଉଥିବା ଶୁଣିବାକୁ ମିଳିଛି। ଯେଉଁଥିରେ ସେ ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣ ସମୟରେ ଚାବାଦ ହାଉସରେ ଥିବା ଆତଙ୍କବାଦୀମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି। ଉଲ୍ଲେଖଯୋଗ୍ୟ, ଆତଙ୍କବାଦୀ ମୀର ଏହି ଆକ୍ରମଣର ମୁଖ୍ୟ ଯୋଜନାକାରୀ ଭାବରେ କାର୍ଯ୍ୟ କରିଥିଲେ। ଆକ୍ରମଣର ପ୍ରସ୍ତୁତି ଏବଂ ଯୋଜନାକୁ ନିର୍ଦ୍ଦେଶ ଦେଉଥିଲେ ଏବଂ ଆକ୍ରମଣ ସମୟରେ ପାକିସ୍ତାନସ୍ଥିତ ନିୟନ୍ତ୍ରକମାନଙ୍କ ମଧ୍ୟରୁ ଜଣେ ଥିଲେ। ଗୁଇନ୍ଦା ଅଧିକାରୀ ଠାକୁର ଜାତିସଂଘରେ ୧୫ରୁ ଅଧିକ ଦେଶର ଅନେକ ବୈଦେଶିକ ମନ୍ତ୍ରୀ ଏବଂ କୂଟନୀତିଜ୍ଞଙ୍କ ଉପସ୍ଥିତିରେ ଏହି ଖୁଲାସା କରଥିଲେ।

ଉଲ୍ଲେଖଯୋଗ୍ୟ, ମୁମ୍ବାଇ ଆକ୍ରମଣ ଘଟଣାରେ ପାକ୍‌ ଆତଙ୍କବାଦୀ ସାଜିଦ୍‌ ମୀର ଭାରତର ଅନ୍ୟତମ ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ରହିଛି। ନଭେମ୍ବର ୨୬, ୨୦୦୮ରୁ ଆରମ୍ଭ ହୋଇ ନଭେମ୍ବର ୨୯, ୨୦୦୮ ପର୍ଯ୍ୟନ୍ତ ଜାରି ରହିଥିବା ଏହି ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ଦ୍ୱାରା ତାଲିମ ପ୍ରାପ୍ତ ଦଶ ଜଣ ଆତଙ୍କବାଦୀ ମୁମ୍ବାଇରେ ହୋଟେଲ, କାଫେ ଏବଂ ଏକ ରେଳ ଷ୍ଟେସନ ସମେତ ଏକାଧିକ ଟାର୍ଗେଟରେ ଆକ୍ରମଣ କରିଥିଲେ, ଯେଉଁଥିରେ ପ୍ରାୟ ୧୭୦ ଜଣ ଲୋକ ପ୍ରାଣ ହରାଇଥିଲେ ଏମାନଙ୍କ ମଧ୍ୟରେ ଛଅ ଜଣ ଆମେରିକୀୟ ମଧ୍ୟ ନିହତ ହୋଇଥିଲେ।