ତମେ ଆମ ପିଲାଙ୍କୁ ସୁରକ୍ଷା ଦେଇଥିଲ, ଏବେ ଆମେ ସୁରକ୍ଷା ଦେଉଛୁ: ଭାରତ ପ୍ରତି ପୋଲାଣ୍ଡର ସମର୍ଥନ ପଛର ସତ କାହାଣୀ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଆଜି ୧୧ ଦିନ ପୂରିଥିବାବେଳେ ଭାରତ ସରକାର ଲଗାତାର ୟୁକ୍ରେନର ପଡୋଶୀ ରାଷ୍ଟ୍ର ଦେଇ ଭାରତୀୟଙ୍କୁ ଦେଶକୁ ଫେରାଇଆଣିବାକୁ ପ୍ରୟାସ କରୁଛନ୍ତି | ଏହାରି ଭିତରେ ୟୁକ୍ରେନର ପଡୋଶୀ ରାଷ୍ଟ୍ର ପୋଲାଣ୍ଡ ଭାରତ ସରକାରଙ୍କୁ ଅକୁଣ୍ଠ ସାହାଯ୍ୟ କରୁଛି | ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଖାଇବା-ପିଇବାର ସୁବିଧା ସହ ଭାରତୀୟଙ୍କ ପାଇଁ ମାଗଣା ଭିସା ଘୋଷଣା କରିଛି। ଏସବୁ ଦେଖି ଏହି ପ୍ରଶ୍ନ ଆପଣଙ୍କ ମନକୁ ଆସୁଥିବ ଯେ ପୋଲାଣ୍ଡ କାହିଁକି ଭାରତକୁ ଏତେ ଭଲ ପାଏ ? ଏହା ପଛରେ ବହୁ ବର୍ଷର ଇତିହାସ ଲୁଚି ରହିଛି | ଦିନେ ଭାରତ ପୋଲାଣ୍ଡର ଶିଶୁ ଓ ମହିଳାଙ୍କୁ ଯେଉଁଭଳି ଭାବେ ଆଶ୍ରୟ ଦେଇଥିଲା ସେହି ବଳିଦାନକୁ ପୋଲାଣ୍ଡ ଏଯାଏଁ ଭୁଲିପାରିନି |

୩ ସେପ୍ଟେମ୍ବର ୧୯୪୨ରେ, ଜର୍ମାନୀର ଶାସକ ହିଟଲର ପୋଲାଣ୍ଡ ଉପରେ ଆକ୍ରମଣ କରିଥିଲେ | ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିଲା ଓ ଯୁଦ୍ଧ ଭୟଙ୍କର ସ୍ତରରେ ପହଞ୍ଚିଲା, ପୋଲାଣ୍ଡର ସୈନିକମାନେ ପ୍ରାୟ ୫୦୦ ପୋଲାଣ୍ଡ ମହିଳା ଏବଂ ୨୦୦ ପିଲାଙ୍କୁ ଏକ ଜାହାଜରେ ବସାଇ କ୍ୟାପଟେନଙ୍କୁ କହିଥିଲେ ଯେ ଏହି ସମସ୍ତ ଲୋକଙ୍କୁ ଏମିତି ଏକ ଦେଶରେ ଛାଡିବ, ଯେଉଁଠି ସେମାନଙ୍କୁ କହିଥିଲେ ଆଶ୍ରୟ ମିଳିବ | ଏହା ପରେ ଜାହାଜଟି ସମୁଦ୍ରରେ ସମସ୍ତଙ୍କୁ ନେଇ ଇରାନର ସିରଫ ବନ୍ଦରରେ ପହଞ୍ଚିଲା | ଯେତେବେଳେ ପୋଲାଣ୍ଡ ଜାହାଜ ଇରାନରେ ପହଞ୍ଚିଲା, ସେତେବେଳେ ଇରାନ ସରକାର ସେମାନଙ୍କୁ ଆଶ୍ରୟ ଦେବାକୁ ମନା କରିଦେଇଥିଲେ ଏବଂ ସେଠାରୁ ଚାଲିଯିବାକୁ କହିଥିଲେ | ଏହା ପରେ ପୋଲାଣ୍ଡର ଜାହାଜ ଭୁଲବଶତଃ ଗୁଜୁରାଟର ଜାମନଗରରେ ପହଞ୍ଚିଥିଲା |

ସେହି ସମୟରେ ସେଠାରେ ରାଜା ଜାମ ସାହେବ ଦିଗବିଜୟ ସିଂ ଥିଲେ | ରାଜା ଯେତେବେଳେ ଏବାବଦରେ ଜାଣିଲେ, ସେ ପୋଲାଣ୍ଡର ଲୋକଙ୍କୁ ଆଶ୍ରୟ ଦେଇଥିଲେ। କେବଳ ଏତିକି ନୁହେଁ, ବାଲାଚଢିର ସୈନିକ ସ୍କୁଲରେ ପିଲାମାନଙ୍କ ଶିକ୍ଷା ପାଇଁ ମଧ୍ୟ ରାଜା ସାହେବ ବ୍ୟବସ୍ଥା କରିଥିଲେ। କୁହାଯାଏ ଯେ ପୋଲାଣ୍ଡରୁ ଆସିଥିବା ଶରଣାର୍ଥୀମାନେ ପ୍ରାୟ ୯ ବର୍ଷ ଧରି ଜାମନଗରରେ ରହୁଥିଲେ। ୪୩ ବର୍ଷ ପରେ, ୧୯୮୯ ରେ ପୋଲାଣ୍ଡ ସୋଭିଏତ୍ ୟୁନିଅନ୍ ଠାରୁ ଅଲଗା ହୋଇଥିଲା। ଏହା ପରେ ପୋଲାଣ୍ଡ ସରକାର ରାଜା ଜାମ ସାହେବ ଦିଗବିଜୟ ସିଂଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ, କମାଣ୍ଡର କ୍ରସ୍ ଅଫ୍ ଅର୍ଡର ଅଫ୍ ମେରିଟ୍ ପ୍ରଦାନ କରିଥିଲେ | ପୋଲାଣ୍ଡବାସୀଙ୍କ ପ୍ରତି ଭାରତର ଏହି ସମର୍ଥନକୁ ପୋଲାଣ୍ଡ ଭୁଲିପାରିନାହିଁ | ରାଜା ଜାମ ସାହେବ ଦିଗବିଜୟ ସିଂଙ୍କ ନାମରେ ପୋଲାଣ୍ଡରେ ବିଦ୍ୟାଳୟ ମଧ୍ୟ ଅଛି |

ସମ୍ବନ୍ଧିତ ଖବର