ବିଶ୍ୱର ୬ଟି ବିଦେଶୀ ରାଷ୍ଟ୍ରକୁ ପ୍ରସାରିତ ହେଲା ଭାରତୀୟ ଡାକ ବିଭାଗର ‘ସ୍ପିଡ୍‌ ପୋଷ୍ଟ’ ସେବା

ଏସିଆ, ୟୁରୋପ ଓ ଦକ୍ଷିଣ ଆମେରିକାର ୬ଟି ରାଷ୍ଟ୍ରରେ ଉପଲବ୍ଧ ହେବ ଏହି ସେବା

ନୂଆଦିଲ୍ଲୀ: ଏସିଆ, ୟୁରୋପ ଓ ଦକ୍ଷିଣ ଆମେରିକାର ୬ଟି ରାଷ୍ଟ୍ରରେ ଭାରତୀୟ ଡାକ ବିଭାଗ ପକ୍ଷରୁ ଆଜିଠାରୁ ଆନୁଷ୍ଠାନିକ ଭାବେ ନିଜର ‘ଅନ୍ତର୍ଜାତୀୟ ସ୍ପିଡ୍‌ ପୋଷ୍ଟ’ ସେବା ଆରମ୍ଭ କରିଛି। ନୂତନ ଭାବେ ‘ଅନ୍ତର୍ଜାତୀୟ ସ୍ପିଡ୍‌ ପୋଷ୍ଟ’ ସେବା ଆରମ୍ଭ କରା ଯାଇଥିବା ଏହି ଛଅଟି ବିଦେଶୀ ରାଷ୍ଟ୍ର ହେଉଛନ୍ତି ବୋସନିଆ, ବ୍ରାଜିଲ୍‌, ଇକ୍ୱେଡର୍‌, କଜଖସ୍ତାନ୍‌, ଲୁଥୁନିଆ ଏବଂ ଉତ୍ତର ମାସେଡୋନିଆ।

ଉଲ୍ଲେଖଯୋଗ୍ୟ, ଭାରତୀୟ ଡାକ ବିଭାଗର ସ୍ପିଡ୍‌ ପୋଷ୍ଟ ସେବା ହେଉଛି ଏକ ନିର୍ଭରଯୋଗ୍ୟ ସେବା। ଏଥିରେ ବିଭିନ୍ନ ପ୍ରକାରର ଦସ୍ତାବିଜ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ବେଶ ସ୍ୱଳ୍ପ ମୂଲ୍ୟରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରାପକଙ୍କ ନିକଟକୁ ପଠା ଯାଇଥାଏ ଏବଂ ପ୍ରପକଙ୍କ ନିକଟରେ ତାହା ପହଞ୍ଚିଲାକି ନାହିଁ ତାହାର ଟ୍ରାକିଂ ଇଣ୍ଟରନେଟ ଜରିଆରେ ମଧ୍ୟ କରାଯାଇ ପାରିଥାଏ। ଏହା ଏକ ନିର୍ଭରଯୋଗ୍ୟ ସେବା ରୂପେ ବିବେଚିତ ହୋଇଥାଏ।

ଭାରତୀୟ ଡାକ ବିଭାଗ ପକ୍ଷରୁ ଏସିଆ, ୟୁରୋପ ଓ ଦକ୍ଷିଣ ଆମେରିକାର ୬ଟି ରାଷ୍ଟ୍ରରେ ଆଜିଠାରୁ ଏହି ସ୍ପିଡ୍‌ ପୋଷ୍ଟ ସେବା ଆନୁଷ୍ଠାନିକ ଭାବେ ଆରମ୍ଭ ହେବା ସହ ଦେଶର ସମସ୍ତ ଡାକଘରେ ଏହି ସେବା ଉପଲବ୍ଧ ହେଉଥିବା ଡାକ ବିଭାଗ ପକ୍ଷରୁ କୁହାଯାଇଛି। ଉୁଲ୍ଲେଖଯୋଗ୍ୟ ଏହା ପୂର୍ବରୁ ବିଶ୍ୱର ଅନ୍ୟ ୧୦୦ଟି ରାଷ୍ଟ୍ର ପାଇଁ ମଧ୍ୟ ଭାରତୀୟ ଡାକ ବିଭାଗ ପକ୍ଷରୁ ଏହି ‘ଅନ୍ତର୍ଜାତୀୟ ସ୍ପିଡ୍‌ ପୋଷ୍ଟ’ ସେବା ଉପଲବ୍ଧ ଥିଲା।

ସମ୍ବନ୍ଧିତ ଖବର