ନୂଆଦିଲ୍ଲୀ : ଦେଶରେ ଏବେ ଏକ ନୂଆ ପ୍ରକାରର କରୋନା ଟିକା ପ୍ରସ୍ତୁତ କରାଯାଉଛି । ଏହାକୁ ନାକରେ ଦିଆଯିବ । ଏହି ଟିକାର ପ୍ରଥମ ଓ ୨ୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ପ୍ରସ୍ତୁତି ଚାଲିଛି । ଏହା ସଫଳ ହେଲେ କରୋନା ବିରୋଧୀ ଲଢେଇରେ ଏକ ବଡ଼ ଅସ୍ତ୍ର ମିଳିଯିବ ବୋଲି ଅବସରରେ ନିତି ଆୟୋଗର ସଦସ୍ୟ ତଥା ସରକାରଙ୍କ କୋଭିଡ ଟାସ୍କଫୋର୍ସର ମୁଖ୍ୟ ଡ. ଭି.କେ. ପଲ କହିଛନ୍ତି ।
ଡ. ପଲ କହିଛନ୍ତି ଯେ, ଗତ ୪ଦିନ ଧରି ଚାଲିଥିବା ଟୀକାକରଣରୁ ମିଳିଥିବା ତଥ୍ୟରୁ ଜଣାପଡ଼ୁଛି ଯେ ଦୁଇଟିଯାକ ଟିକା ବେଶ ସୁରକ୍ଷିତ । ଯେତିକି ପାର୍ଶ୍ବପ୍ରତିକ୍ରିୟା ଦେଖାଦେଇଛି ତାହା ସାମାନ୍ୟ ବୋଲି କୁହାଯାଇପାରିବ । ଏଣୁ ସ୍ବାସ୍ଥ୍ୟ କର୍ମୀମାନେ ନିଜର ଭୟ ଓ ଆଶଙ୍କା ତ୍ୟାଗ କରିବା ସହ ଟିକା ନେବାକୁ ଆଗେଇ ଆସିବା ଉଚିତ । ଏପରି ନ ହେଲେ ଆମେ କିପରି କରୋନା ମହାମାରୀକୁ ହରାଇପାରିବା ବୋଲି ସେ ପ୍ରଶ୍ନ କରିଛନ୍ତି ।
ସାରା ଦେଶରେ ଏପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୫୪ ହଜାର ୦୪୯ ଜଣ ବ୍ୟକ୍ତିକୁ ଟିକା ଦିଆଯାଇଛି । ଏସବୁ ଲୋକମାନଙ୍କର ମାତ୍ର ୦.୧୮ ପ୍ରତିଶତ ଲୋକଙ୍କ ଶରୀରରେ ପାର୍ଶ୍ବପ୍ରତିକ୍ରିୟା ଦେଖାଦେଇଛି । ମାତ୍ର ୦.୦୦୨ ପ୍ରତିଶତ ଲୋକ ଗୁରୁତର ପାର୍ଶ୍ବପ୍ରତିକ୍ରିୟା ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୁଷଣ କହିଛନ୍ତି । ସେ ଯେ ଭାରତରେ ଯେତିକି ପାର୍ଶ୍ବପ୍ରତିକ୍ରିୟା ଦେଖାଦେଇଛି, ତାହା ସମଗ୍ର ବିଶ୍ବରେ ସର୍ବନିମ୍ନ ।