ସିସିଲିରେ ସାମରିକ ଭିତ୍ତିଭୂମି ସ୍ଥାପନ କରିବ ଭାରତ

ପାରସ୍ପରିକ ସହଯୋଗ ପାଇଁ ସଂଶୋଧିତ ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ: ନାନା କଳ୍ପନାଜଳ୍ପନାର ଅନ୍ତ ଘଟାଇ ଭାରତ ଏବଂ ସିସିଲି ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧିତ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଶନିବାର ଭିକ୍ଟୋରିଆ ଠାରେ ଭାରତର ବୈଦେଶିକ ସଚିବ ଏସ୍‌ ଜୟଶଙ୍କର ଏବଂ ସିସିଲି ପ୍ରତିପକ୍ଷ ବ୍ୟାରି ଫାଉରେ ସ୍ୱାକ୍ଷର କରିଥିବା ଏହି ରାଜିନାମା ଦ୍ୱାରା ସିସିଲିର ଆଜମ୍ପ୍‌ସନ୍‌ ଦ୍ୱୀପରେ ଭାରତ ନିଜର ସାମରିକ ଭିତ୍ତିଭୂମି ନିର୍ମାଣ କରିପାରିବ। ଫଳରେ ଭାରତ ମହାସାଗରରେ ଭାରତର ଉପସ୍ଥିତି ଏବଂ ପ୍ରଭାବ ଆହୁରି ବ୍ୟାପକ ହୋଇପାରିବ।ଅପରପକ୍ଷେ, ସିସିଲି ହିଁ ଏହାଦ୍ୱାରା ବିଶେଷ ଭାବେ ଉପକୃତ ହୋଇପାରିବା ଭଳି ସଂଶୋଧିତ ଚୁକ୍ତିରେ ବ୍ୟବସ୍ଥା ରହିଛି ବୋଲି କୁହାଯାଉଛି।

ସୂଚନା ଥାଉ କି, ପୂର୍ବରୁ ଏହି ଚୁକ୍ତିନାମା ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସିସିଲି ଗସ୍ତ ବେଳେ ମଧ୍ୟ ସ୍ୱାକ୍ଷରିତ ହୋଇଥିଲା। ମାତ୍ର ସିସିଲିର ତତ୍କାଳୀନ ରାଷ୍ଟ୍ରପତି ଜେମ୍‌ସ ମାଇକେଲଙ୍କ ଯୋଗୁଁ ତାହା ତାଙ୍କ ସଂସଦରେ ଗୃହୀତ ହୋଇପାରିନଥିଲା। ଭାରତ ନିର୍ମାଣ କରିବାକୁ ଥିବା ଏହି ସାମରିକ ପ୍ରକଳ୍ପର ସ୍ୱତ୍ୱାଧିକାର ଏବଂ ସାର୍ବଭୌମତ୍ୱକୁ ନେଇ ସିସିଲିରେ ରାଜନୈତିକ ବାଦବିବାଦ ଉଠିଥିଲା। ତେବେ ଭାରତର ବିଦାୟୀ ବୈଦେଶିକ ସଚିବ ଜୟଶଙ୍କରଙ୍କ ଉଦ୍ୟମ ପରେ ଏଥିରେ କିଛି ସଂଶୋଧନ ଅଣାଯାଇ ତାହା ଉଭୟ ପକ୍ଷ ପାଇଁ ଗ୍ରହଣଯୋଗ୍ୟ ହୋଇପାରିଛି। ସିସିଲିର ଆଜମ୍ପ୍‌ସନ୍‌ ଦ୍ୱୀପରେ ଥିବା ଏୟାରଷ୍ଟ୍ରିପ୍‌ ଏବଂ ଜେଟିର ବିକାଶ, ପରିଚାଳନାଏବଂ ରକ୍ଷଣାବେକ୍ଷଣ ପାଇଁ ଉଦ୍ଦିଷ୍ଟ ଏହି ରାଜିନାମାର କାର୍ଯ୍ୟକାଳ ୨୦ ବର୍ଷ ଥିବା ବେଳେ ପରେ ତାହା ଆଉ ୧୦ ବର୍ଷ ପାଇଁ ନବୀକରଣ ହୋଇପାରିବ। ଏହି ରାଜିନାମା ଅନୁଯାୟୀ, ସଂପୃକ୍ତ ଇଲାକାରେ ଉଭୟ ଦେଶର ସହଯୋଗରେ ଜଳଦସ୍ୟୁ ବିରୋଧୀ କାର୍ଯ୍ୟାନୁଷ୍ଠାନ, ସମ୍ପ୍ରସାରିତ ସାମୁଦ୍ରିକ ସମ୍ବଳ ବିନିଯୋଗ ସମେତ ବେଆଇନ ମାଛଧରା, ଡ୍ରଗ୍‌ସ ଓ ମାନବ ଚାଲାଣ ରୋକିବା ଦିଗରେ ତତ୍କାଳ ପଦକ୍ଷେପ ନିଆଯାଇପାରିବ। ଆଜମ୍ପ୍‌ସନ୍‌ ଦ୍ୱୀପରେ ଭାରତ ପକ୍ଷରୁ ନିର୍ମିତ ହେବାକୁ ଥିବା ଏହି ସାମରିକ ପ୍ରକଳ୍ପ ସିସିଲି ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ତାଙ୍କ ରାଷ୍ଟ୍ରପତି ଡାନି ଫାଉରେ କହିଛନ୍ତି। ଏହା ଦୁଇ ଦେଶର ନିବିଡ଼ତାକୁ ପ୍ରମାଣିତ କରିଛି। ଏଥି ସହିତ ସିସିଲିର ବିକାଶ ଉଚ୍ଚାକାଂକ୍ଷାକୁ ଅନୁଭବ କରି ଭାରତ ପରି ରାଷ୍ଟ୍ର ସହଯୋଗ ପାଇଁ ଆଗେଇ ଆସିବା ସିସିଲି ପାଇଁ ଗର୍ବର ବିଷୟ ବୋଲି ଫାଉରେ କହିଛନ୍ତି।

ସମ୍ବନ୍ଧିତ ଖବର