କଶ୍ମୀର ପ୍ରସଙ୍ଗ, ଜାତିସଂଘ ରିପୋର୍ଟକୁ ଭାରତର କଡ଼ା ବିରୋଧ

ମିଛ ବିବରଣୀ ଦେଇ ଜାତିସଂଘ ବିଭ୍ରାନ୍ତ କରୁଛି

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ଜାତିସଂଘ ମାନବାଧିକାର ହାଇ କମିସନ୍‌ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ନୂଆ ରିପୋର୍ଟକୁ ଭାରତ ତୀବ୍ର ବିରୋଧ କରିଛି। ଜାତିସଂଘ ମାନବାଧିକାର ହାଇ କମିସନ୍‌ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ କୁହାଯାଇଛି ଯେ ଭାରତ ଆନ୍ତର୍ଜାତିକ ଆଇନ ଅଧୀନରେ କଶ୍ମୀର ଲୋକମାନଙ୍କ ନିଜ ଭାଗ୍ୟ ନିଜେ ନିର୍ଦ୍ଧାରଣ କରିବା ସଂକ୍ରାନ୍ତ ଅଧିକାରକୁ ସମ୍ମାନ ଦେଉ। ଜମ୍ମୁ କଶ୍ମୀରରେ ଲୋକମାନଙ୍କ ମାନବାଧିକାର ଗୁରୁତର ଉଲ୍ଲଂଘନ ହେଉଛି। ଜମ୍ମୁ କଶ୍ମୀରରେ ଅତ୍ୟଧିକ ସେନା ମୁତୟନ ଏବଂ ଅନେକ ସମୟରେ ଇଣ୍ଟର‌ନେଟ୍‌ ବନ୍ଦ ରହିବା ଦ୍ବାରା ଲୋକଙ୍କ ଅଧିକାରରେ ଅଙ୍କୁଶ ଲାଗୁଛି ବୋଲି ଜାତିସଂଘ ମାନବାଧିକାର କମିସନ ରିପୋର୍ଟରେ କୁହାଯାଇଛି। ଭାରତ ଜାତିସଂଘର ଏହି ରିପୋର୍ଟକୁ ପକ୍ଷପାତପୂର୍ଣ୍ଣ ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି। ଉଲ୍ଲେଖଯୋଗ୍ୟ ଜାତିସଂଘ ମାନବାଧିକାର କମିସନ୍‌ ଗତବର୍ଷ ମଧ୍ୟ କଶ୍ମୀର ପ୍ରସଙ୍ଗରେ ଏକ ରିପୋର୍ଟ ପ୍ରକାଶ କରିଥିଲା। ସେହି ରିପୋର୍ଟର ମିଥ୍ୟାକୁ ଜାତିସଂଘ ମାନବାଧିକାର କମିସନ୍‌ ପୁଣିଥରେ ଦୋହରାଇଛନ୍ତି ବୋଲି ଭାରତ କହିଛି।

ଜାତିସଂଘ ମାନବାଧିକାର ହାଇକମିସନ୍‌ ରିପୋର୍ଟ ବିରୋଧରେ ଭାରତ ଏବେ କୂଟନୈତିକ ଅଭିଯାନ ଆରମ୍ଭ କରିଛି। ଭାରରତ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଜାତିସଂଘ ମା‌ନବାଧିକାର କମିସନର ରିପୋର୍ଟରୁ ଜଣାପଡ଼ୁଛି ଯେ ଏଥିରେ ଆତଙ୍କବାଦକୁ ବୈଧ କରିବାକୁ ‌ଚେଷ୍ଟା କରାଯାଇଛି। ଏହା ଭାରତର ସାର୍ବଭୌମତ୍ବକୁ ଉଲ୍ଲଂଘନ କରିଛି । ଜମ୍ମୁ କଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଭାରତ କହିଛି। କଶ୍ମୀରରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଭାରତର ପ୍ରୟାସକୁ ଜାତିସଂଘ ଅଣଦେଖା କରି ଏକ ମିଥ୍ୟ ରିପୋର୍ଟ ଦେବା ସବୁ ଦୃଷ୍ଟିରୁ ନିନ୍ଦନୀୟ ବୋଲି ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରବିଶ କୁମାର କହିଛନ୍ତି।

ସମ୍ବନ୍ଧିତ ଖବର