କୋଭିଡ୍‌ ଟିକାର ବିଶ୍ବଦୌଡ଼ରେ ଭାରତ ଅନ୍ୟତମ ଅଗ୍ରଣୀ

ଚୀନ୍‌ ଟିକାର ଚୂଡ଼ାନ୍ତ ପରୀକ୍ଷା ସାଉଦି ଆରବରେ

ନୂଆଦିଲ୍ଲୀ: ମହାମାରୀ କୋଭିଡ୍‌ ପାଇଁ ଏକ ପ୍ରଯୁଜ୍ୟ ଟିକା ଅନ୍ବେଷଣରେ ବିଶ୍ବବ୍ୟାପୀ ଅଭିଯାନ ଜାରି ରହିଥିବା ବେଳେ ଭାରତ ମଧ୍ୟ ନିଜକୁ ଏଥିଲେ ସାମିଲ କରିଛି। ବିଶ୍ବର ବିଭିନ୍ନ ପ୍ରାନ୍ତରେ ପାଖାପାଖି ୧୬୦ଟି କୋଭିଡ୍‌ ଟିକା ବିକଶିତ ହୋଇ ସେଗୁଡ଼ିକର ପରୀକ୍ଷଣ ବିଭିନ୍ନ ସ୍ତରରେ ପହଞ୍ଚିଛି। ସେଥି ମଧ୍ୟରୁ ମାତ୍ର ୨୩ଟିର ହିଁ ତିନି ପର୍ଯ୍ୟାୟ ବିଶିଷ୍ଟ ମାନବୀୟ ପରୀକ୍ଷଣ ଜାରି ରହିଥିବା ବେଳେ ବାକି ୧୩୫ ଟିକାର ପ୍ରାକ୍ ନୈଦାନିକ ପରୀକ୍ଷଣ ବା ପଶୁ ଶରୀରରେ ପ୍ରୟୋଗ ଚାଲୁ ରହିଛି। ଏହି ୨୩ଟି ଟିକା ଭିତରୁ ୮ଟିର ପ୍ରଥମ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ, ୧୧ଟିର ଦ୍ବିତୀୟ ପର୍ଯ୍ୟାୟ ଓ ବାକି ୪ଟିର ଚୂଡ଼ାନ୍ତ ପର୍ଯ୍ୟାୟ ମାନବୀୟ ପରୀକ୍ଷଣ ଚାଲୁ ରହିଛି। ଏହି ଦୌଡ଼ରେ ଆମେରିକୀୟ ଭେଷଜ କମ୍ପାନି ମଡର୍ଣ୍ଣା ସର୍ବାଗ୍ରେ ରହିଥିବା ବେଳେ ତାହା ପଛକୁ ଅକ୍ସଫୋର୍ଡର ଆଷ୍ଟ୍ରାଜେନେକା ରହିଛି। ତେବେ ପୂର୍ବରୁ ଅନ୍ୟାନ୍ୟ ମହାମାରୀ ପାଇଁ ବିଶ୍ବକୁ ସର୍ବାଧିକ ଟିକା ଯୋଗାଇଥିବା ଭାରତ ମଧ୍ୟ ଏ ଦିଗରେ ନିଜକୁ ଯଥେଷ୍ଟ ପ୍ରସ୍ତୁତ କରିଛି। ସମ୍ପ୍ରତି ୭ଟି ଭାରତୀୟ କମ୍ପାନି କୋଭିଡ୍‌ ଟିକା ବିକାଶ ଅଭିଯାନରେ ନିମଗ୍ନ ଥିବା ବେଳେ ଭାରତ ବାୟୋଟେକ୍ ଓ ଆଇସିଏମ୍‌ଆର୍‌ ଦ୍ବାରା ବିକଶିତ ଦେଶର ପ୍ରଥମ କୋଭିଡ୍‌ ଟିକା କୋଭାକ୍ସିନ୍‌ ଅଗ୍ରଣୀ ଭୂମିକା ନିଭାଇଛି।

ବର୍ତ୍ତମାନ ଏହାର ପଶୁଙ୍କ ଠାରେ ପ୍ରାକ୍ ନୈଦାନିକ ପରୀକ୍ଷଣ ଆଶାତୀତ ସଫଳତା ଆଣିଦେବା ପରେ ଗତ ସପ୍ତାହରୁ ଏହାର ଅସଲି ଭୂମିକା ମାନବୀୟ ପରୀକ୍ଷଣ ଆରମ୍ଭ ହୋଇଛି। ଏହାର ପ୍ରଥମ ପର୍ଯ୍ୟାୟ ମାନବୀୟ ପରୀକ୍ଷଣ ପାଇଁ ପ୍ରଥମେ ପାଟନା ଏମ୍‌ସରେ ୧୦ ଜଣ ସ୍ବେଚ୍ଛାସେବୀ ଏବଂ ପରେ ରୋହତକ ପିଜିଆଇରେ ୩ ଜଣ ସ୍ବେଚ୍ଛାସେବୀ ସାମିଲ ହୋଇଥିବା ବେଳେ ତୃତୀୟ ପ୍ରତିଷ୍ଠାନ ଭାବେ ଦିଲ୍ଲୀ ଏମ୍‌ସ ଏହି ପ୍ରକ୍ରିୟାରେ ସାମିଲ ହୋଇଛି। ଏହି ଅବସରରେ ଏହାର ଗ୍ରହଣୀୟତା ସମ୍ପର୍କରେ ଏମ୍‌ସ ନିର୍ଦ୍ଦେଶ ଡା. ରଣଦୀପ ଗୁଲେରିଆ ବ୍ୟାଖ୍ୟା କରିଛନ୍ତି। ଦେଶର ୧୨ଟି ପ୍ରମୁଖ ଚିକିତ୍ସା କେନ୍ଦ୍ରରେ ମାନବୀୟ ପରୀକ୍ଷଣ ହେବାକୁ ଥିବା ଉକ୍ତ ଟିକାର ପ୍ରଥମ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣରେ ୧୮ରୁ ୫୫ ବର୍ଷ ବୟସର ୩୭୫ ଜଣ ସୁସ୍ଥ ସ୍ବେଚ୍ଛାସେବୀ ସାମିଲ ହେବ ଯେଉଁମାନଙ୍କର ଅନ୍ୟ କୌଣସି ଗୁରୁତର ରୋଗର ଇତିହାସ ନଥିବ। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ୧୨ରୁ ୬୫ ବର୍ଷ ବୟସର ୭୫୦ ଜଣ ସ୍ବେଚ୍ଛାସେବୀଙ୍କୁ ଉକ୍ତ ଟିକା ପ୍ରୟୋଗ କରାଯିବ। ସେହିପରି ଚୂଡ଼ାନ୍ତ ପର୍ଯ୍ୟାୟରେ ଟିକାର କାର୍ଯ୍ୟଦକ୍ଷତା ଓ ଫଲପ୍ରଦତା ଅନୁଧ୍ୟାନ କରାଯିବ। ତେବେ ଏହି ସବୁ ବିଭିନ୍ନ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳା ଉପରେ ହିଁ ଟିକାର ପ୍ରକୃତ ବ୍ୟାବହାରିକ ପ୍ରୟୋଗ ନିର୍ଭର କରେ ବୋଲି ଡା. ଗୁଲେରିଆ କହିଛନ୍ତି। ତେବେ ଏହାର ଫଳପ୍ରଦତା ଅନ୍ତତଃ ଛଅମାସ ଯାଏ ନିରୀକ୍ଷଣ କରାଯିବ। ସୁତରାଂ ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା ଆସନ୍ତା ବର୍ଷ ପ୍ରାରମ୍ଭରେ ହିଁ ବଜାରରେ ଏକ ବ୍ୟବହାରଯୋଗ୍ୟ ଟିକା ମିଳିପାରିବ ବୋଲି ସେ କହିଛନ୍ତି।

ଚୀନ୍‌ ଟିକାର ଚୂଡ଼ାନ୍ତ ପରୀକ୍ଷା ସାଉଦି ଆରବରେ
ନୂଆଦିଲ୍ଲୀ: ଚୀନ୍‌ର ସରକାରୀ ଔଷଧ ନିର୍ମାତା ସିନୋଫାର୍ମ ଦ୍ବାରା ବିକଶିତ କୋଭିଡ୍‌ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସଂଯୁକ୍ତ ଆରବ ଏମିରେଟ୍‌ସରେ ଗତ ବୁଧବାର ଠାରୁ ଆରମ୍ଭ ହୋଇଥିବା ଜଣାଯାଇଛି। ରାଜଧାନୀ ସହର ଆବୁ ଧାବିରେ ଜାରି ଥିବା ଏହି ତୃତୀୟ ପର୍ଯ୍ୟାୟ ମାନବୀୟ ପରୀକ୍ଷଣରେ ୧୮ରୁ ୬୦ ବର୍ଷ ବୟସର ମୋଟ ୧୫,୦୦୦ ସ୍ବେଚ୍ଛାସେବୀଙ୍କୁ ତିନିରୁ ଛଅ ମାସ ଯାଏ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବିଶ୍ବରେ କୌଣସି ନିଷ୍କ୍ରିୟ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଆରମ୍ଭ କରିବାରେ ଏହା ପ୍ରଥମ ବୋଲି କୁହାଯାଉଛି। ପୂର୍ବରୁ ଇନ୍‌ଫ୍ଲୁଏଞ୍ଜା ଓ ମିଳିମିଳା ପରି ରୋଗ ପାଇଁ ଏପରି ନିଷ୍କ୍ରିୟ ଟିକା ଉଦ୍ଭାବନ କରାଯାଇଥିବା ବେଳେ ସିନୋଫାର୍ମ ପ୍ରସ୍ତୁତ ଟିକାରେ ମଧ୍ୟ ଅନୁରୂପ ଜ୍ଞାନକୌଶଳର ବିନିଯୋଗ କରାଯାଇଛି। ସିନୋଫାର୍ମର ଚାଇନା ନ୍ୟାସନାଲ୍‌ ବାୟୋଟେକ୍ ଗ୍ରୁପ୍(ସିଏନ୍‌ବିଜି), ସାଉଦି ଆରବର ଗ୍ରୁପ୍‌ ୪୨ କମ୍ପାନି ଓ ଆବୁ ଧାବିର ସ୍ବାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମରେ ଏହି ପରୀକ୍ଷଣ ଚାଲୁ ରହିଛି। ନିଜ ଦେଶରେ ସିନୋଫାର୍ମ ଉକ୍ତ ଟିକାର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ମାନବୀୟ ପରୀକ୍ଷଣ କରି ଶହେ ପ୍ରତିଶତ ସଫଳତା ହାସଲ କରିଥିଲା। ତେବେ ଚୀନ୍‌ରେ ପର୍ଯ୍ୟାପ୍ତ ପରିମାଣର କୋଭିଡ୍‌ ସଂକ୍ରମିତ ନଥିବାରୁ ଏହାର ଚୂଡ଼ାନ୍ତ ପର୍ଯ୍ୟାୟ ବିଦେଶରେ କରାଯିବାକୁ ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧିତ ଖବର