ନୂଆଦିଲ୍ଲୀ: ଗୋଟିଏ ଦଶନ୍ଧି ଭିତରେ ଭାରତ ନିଜର ଛବିକୁ ଏକ ମୋବାଇଲ୍ ଆମଦାନିକାରୀ ଦେଶରୁ ବଦଳାଇ ରପ୍ତାନିକାରୀରେ ପରିଣତ କରିଛି। ୨୦୨୪ରେ ଦେଶରୁ ୨୦୫୦ କୋଟି ଡଲାରର ମୋବାଇଲ୍ ରପ୍ତାନି କରାଯାଇଛି। ଏଥି ସହିତ ଭାରତ ବିଶ୍ବର ତୃତୀୟ ବୃହତ୍ ମୋବାଇଲ୍ ରପ୍ତାନିକାରୀ ଭାବେ ଉଭା ହୋଇଛି। ସିଡିଏସ୍ର ନିର୍ଦ୍ଦେଶକ ପ୍ରଫେସର ସି ବୀରମଣିଙ୍କ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ମୋବାଇଲ୍ ରପ୍ତାନି ୨୦୧୭ରୁ ବଢ଼ିବା ଆରମ୍ଭ ହୋଇଥିଲା। ୨୦୨୦ରେ କେନ୍ଦ୍ର ସରକାର ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ ସ୍କିମ୍ (ପିଏଲ୍ଆଇ) ଘୋଷଣା କରିବା ପରେ ତାହା ତ୍ବରାନ୍ବିତ ହୋଇଥିଲା।
୨୦୧୪-୧୫ ବେଳକୁ ଭାରତ ମୋବାଇଲ୍ ଆମଦାନି ଉପରେ ଅତ୍ୟଧିକ ନିର୍ଭରଶୀଳ ଥିଲା। ୨୦୧୭ ବେଳକୁ ଏହା ମାତ୍ର ୨୦ କୋଟି ଡଲାରର ମୋବାଇଲ୍ ରପ୍ତାନି କରିଥିଲା। ୨୦୨୪-୨୫ ବେଳକୁ ତାହା ୧୧,୯୫୦ ପ୍ରତିଶତ ବୃଦ୍ଧି ପାଇ ୨୪୧୦ କୋଟି ଡଲାରରେ ପହଞ୍ଚିଛି। ଏଥି ସହିତ ପ୍ରଥମ ଥର ପାଇଁ ଦେଶରେ ବିକ୍ରି ହେଉଥିବା ମୋବାଇଲ୍ ସଂଖ୍ୟାଠାରୁ ରପ୍ତାନି ଅଧିକ ହୋଇଛି। ୨୦୧୮-୧୯ ପରଠାରୁ ଭାରତ ଲଗାତାର ଭାବେ ନିଟ୍ ମୋବାଇଲ୍ ରପ୍ତାନିକାରୀ ହୋଇରହିଛି। ଦେଶରେ ମୋବାଇଲ୍ ଉତ୍ପାଦନ ବ୍ୟବସ୍ଥା ବିକଶିତ ହେବା ପରେ ଅଧିକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି। ଏଏସ୍ଆଇ ତଥ୍ୟ ଅନୁସାରେ ୨୦୨୨-୨୩ରେ ଏହି କ୍ଷେତ୍ରରେ ୧୭ ଲକ୍ଷ ଅଧିକ ଲୋକ ନିୟୋଜିତ ହୋଇଛନ୍ତି। ଫଳରେ ରପ୍ତାନି ଭିତ୍ତିକ ନିଯୁକ୍ତିରେ ୩୩ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି।