ଜାତିସଂଘ ସାଧାରଣ ପରିଷଦ, ପାକ୍‌ର ମୁକାବିଲା ପାଇଁ ଭାରତ ତୟାର

ପାକିସ୍ତାନ ତଳକୁ ଖସୁଛି, ଭାରତର ସ୍ଥିତି ମଜବୁତ, କଶ୍ମୀରରେ ବିକାଶ ଇମ୍ରାନଙ୍କ ପାଇଁ ଜ୍ବଳନ

ନ୍ୟୁୟର୍କ: ଜାତିସଂଘରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇଲେ ଏହା ଆହୁରି ତଳକୁ ଖସିବ ଏବଂ ଭାରତର ସ୍ଥିତି ପୂର୍ବାପେକ୍ଷା ଅଧିକ ମଜବୁତ ହେବ ବୋଲି ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ସୟଦ ଅକବରୁଦ୍ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ୨୭ ସେପ୍ଟେମ୍ବରରେ ଜାତିସଂଘ ସାଧାରଣ ପରିଷଦରେ ଉଦ୍‌ବୋଧନ ଦେବେ। ସେଥିରେ ସେ କଶ୍ମୀର ପ୍ରସଙ୍ଗ ଉଠାଇବେ ବୋଲି ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍‌ବୋଧନ କାର୍ଯ୍ୟକ୍ରମ ମଧ୍ୟ ସେହିଦିନ ହିଁ ରହିଛି। ୟୁଏନ୍‌ଏଚ୍‌ଆର୍‌ସିରେ ପାକିସ୍ତାନର ସବୁ ଚାଲ୍‌ ଯେଭଳି ଭଣ୍ଡୁର ହୋଇଥିଲା, ସାଧାରଣ ପରିଷଦରେ ମଧ୍ୟ ସମାନ ସ୍ଥିତି ହେବ ଏବଂ ଭାରତର ମତ ଆହୁରି ସୁଦୃଢ଼ ହେବ ବୋଲି ଅକବରୁଦ୍ଦିନ କହିଛନ୍ତି।

ଅନ୍ୟପକ୍ଷରେ ଆମେରିକାରେ ଭାରତର ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ କହିଛନ୍ତି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କଶ୍ମୀରରେ କେବଳ ହିଂସା ଚାହୁଛନ୍ତି। ଏବେ ସମଗ୍ର କଶ୍ମୀର ବିକାଶ ରାସ୍ତାରେ ଅଗ୍ରସର ହେଉଥିବାରୁ ଏହାକୁ ଇମ୍ରାନ ସହ୍ୟ କରିପାରୁ ନାହାନ୍ତି ବୋଲି ସେ କହିଛନ୍ତି। ଭାରତର ଅଭିନ୍ନ ଅଙ୍ଗ କଶ୍ମୀରକୁ ନେଇ ଭାରତ ସରକାରଙ୍କ ନିଷ୍ପତ୍ତି ସଂପୂର୍ଣ୍ଣ ଆଭ୍ୟନ୍ତରୀଣ ମାମଲା ହୋଇଥିଲେ ମଧ୍ୟ ପାକିସ୍ତାନ କେବଳ ବିଭ୍ରାନ୍ତି ଓ ହିଂସାର ଆଶ୍ରୟ ନେଇ ଅସ୍ଥିରତା ଜାରି ରଖିବାକୁ ଚାହୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର