କରୋନା ଟିକାର ଗଣ-ଉତ୍ପାଦନ ପାଇଁ ଭାରତ ପ୍ରସ୍ତୁତ : ମୋଦୀ

ନୂଆଦିଲ୍ଲୀ : ଭାରତରେ ୩ଟି କରୋନା ଟିକାର ପରୀକ୍ଷଣ ଚାଲିଛି । ବୈଜ୍ଞାନିକମାନେ ଏଗୁଡ଼ିକର ଉତ୍ପାଦନ ପାଇଁ ଅନୁମତି ଦେଲେ ବିପୁଳ ସଂଖ୍ୟକ ଟିକାର ଉତ୍ପାଦନ କରି ସବୁ ଭାରତୀୟଙ୍କୁ ଯୋଗାଇବାକୁ ଭାରତ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

୭୪ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲା ପ୍ରାଚୀରରୁ ଜାତି ଉଦ୍ଦେଶ୍ୟରେ ଅଭିଭାଷଣ ରଖି ସେ କହିଛନ୍ତି ଯେ ସବୁ ଭାରତୀୟଙ୍କୁ କରୋନା ଟିକା ଦେବାକୁ ସରକାର ରୋଡମ୍ୟାପ ପ୍ରସ୍ତୁତ କରିସାରିଛନ୍ତି । ଜାତୀୟ ଡିଜିଟାଲ ହେଲଥ ମିଶନ ସଂପର୍କରେ ଘୋଷଣା କରି ମୋଦୀ କହିଛନ୍ତି ଯେ ପ୍ରତି ଭାରତୀୟଙ୍କ ହେଲଥ ଆଇଡିରେ ସ୍ୱାସ୍ଥ୍ୟ ପରୀକ୍ଷା,ରୋଗ, ଚିକିତ୍ସା ଆଦି ସଂପର୍କରେ ତଥ୍ୟ ରହିବ । ଚିକିତ୍ସା କ୍ଷେତ୍ରରେ ଟେକନଲୋଜୀର ବ୍ୟାପକ ପ୍ରୟୋଗ କରାଯିବ ବୋଲି ମୋଦୀ କହିଛନ୍ତି ।

ଭାରତରେ ୩ଟି କରୋନା ଟିକାର ପରୀକ୍ଷଣ ଚାଲିଛି । ଭାରତ ବାୟୋଟେକ ପକ୍ଷରୁ ଆଇସିଏମଆର ସହଯୋଗରେ କୋଭାକ୍ସିନ ଟିକା ପ୍ରସ୍ତୁତ କରୁଛି । ଏହି ଟିକାର ଏବେ ୨ୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ଭାରତରେ ଆଉ ଏକ ଫାର୍ମା କମ୍ପାନି ଜାଇଡସ କାଡିଲା ମଧ୍ୟ ଏକ କରୋନା ଟିକାର ପରୀକ୍ଷଣ କରୁଛି । ଏହି ଟିକାର ନାଁ ହେଉଛି ଜାଇକୋଭ-ଡି । ଅନ୍ୟପକ୍ଷରେ ଅକ୍ସଫୋର୍ଡ ଦ୍ୱାରା ବିକଶିତ ଟିକାର ପରୀକ୍ଷଣ ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା କରାଯାଉଛି ।

ସମ୍ବନ୍ଧିତ ଖବର