ଡବ୍ଲୁଟିଓ ଅନୁମତି ଦେଲେ ଭାରତ ବିଶ୍ବକୁ ଖାଦ୍ୟ ଯୋଗାଇବାକୁ ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଶ୍ବ ବାଣିଜ୍ୟ କେନ୍ଦ୍ର (ଡବ୍ଲୁଟିଓ) ଅନୁମତି ଦେଲେ ଭାରତ ବିଶ୍ବକୁ ଖାଦ୍ୟ ସାମଗ୍ରୀ ଯୋଗାଇବାକୁ ପ୍ରସ୍ତୁତ ବୋଲି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ୟୁକ୍ରେନ୍ ଯୁଦ୍ଧ ସମ୍ବନ୍ଧରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ହୋଇଥିବା କଥାବାର୍ତ୍ତା ପ୍ରସଙ୍ଗରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ ଯେ, ସମ୍ପ୍ରତି ସାରା ବିଶ୍ବ ଏକ ପ୍ରକାର ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି, କାରଣ ଯିଏ ଯାହା ଚାହୁଁଛି ତାହା ପାଇପାରୁ ନାହିଁ। ସବୁ ଦ୍ବାର ବନ୍ଦ ହୋଇଯାଇଥିବାରୁ ପେଟ୍ରୋଲ, ତେଲ ଓ ସାର ପାଇବା କଷ୍ଟକର ହୋଇପଡ଼ୁଛି। ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ସମସ୍ତେ ନିଜର ଷ୍ଟକ୍ (ଗଚ୍ଛିତ ସାମଗ୍ରୀ) ସୁରକ୍ଷିତ ରଖିବାକୁ ଚାହୁଛନ୍ତି।

ମୋଦୀ ପୁଣି କହିଲେ ଯେ, ବିଶ୍ବ ଏବେ ଏକ ନୂତନ ଆହ୍ବାନର ସମ୍ମୁଖୀନ ହୋଇଛି। ବିଶ୍ବର ଖାଦ୍ୟ ଭଣ୍ଡାର ଖାଲି ହେବାକୁ ବସିଲାଣି। ଏ ବିଷୟରେ ବାଇଡେନ୍‌ଙ୍କ ସହ ଆଲୋଚନା ସମୟରେ ଡବ୍ଲୁଟିଓ ଅନୁମତି ଦେଲେ ଭାରତ ବିଶ୍ବକୁ ଖାଦ୍ୟ ଯୋଗାଇବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ। ଆମେରିକାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କର ତାଙ୍କ ଆମେରିକୀୟ ପ୍ରତିପକ୍ଷଙ୍କ ସହ ୨+୨ ଦ୍ବିପାକ୍ଷିକ ଆଲୋଚନା ପୂର୍ବରୁ ମୋଦୀ ଓ ବାଇଡେନ୍‌ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟର ଶ୍ରୀ ଅନ୍ନପୂର୍ଣ୍ଣାଧାମଠାରେ ଏକ ହଷ୍ଟେଲ ଓ ଶିକ୍ଷା ପରିସରର ଉନ୍ମୋଚନ ଆଭାସିକ ଭାବେ କରିବା ଅବସରରେ କହିଥିଲେ, ଆମ ପରମ୍ପରା ଓ ସଂସ୍କୃତିରେ ଖାଦ୍ୟ, ସ୍ବାସ୍ଥ୍ୟ ଓ ଶିକ୍ଷା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର