ନୌସେନା ପାଖକୁ ଆସିଲା ୨ଟି ରୋମିଓ ହେଲିକପ୍ଟର, ଆକାଶମାର୍ଗରୁ ଧ୍ବଂସ କରିପାରିବ ବୁଡ଼ାଜାହାଜ

ନୂଆଦିଲ୍ଲୀ : ଭାରତୀୟ ନୌସେନା ପାଇଁ ଗୁରୁବାରଦିନଟି ଥିଲା ଏକ ସ୍ମରଣୀୟ ଦିନ । କାରଣ ଏହି ଦିନ ବିମାନବାହୀ ଯୁଦ୍ଧପୋତ ବିକ୍ରାନ୍ତ ନୌସେନା ହାତକୁ ଆସିଥିବାବେଳେ ଅନ୍ୟପଟେ ଆମେରିକାଠାରୁ ଦୁଇଟି ଏମଏଚ୬୦-ଆର ରୋମିଓ ହେଲିକପ୍ଟର ଆସିଛି ।

ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ନୌସେନାକୁ ଆମେରିକା ମୋଟ ୨୪ଟି ରୋମିଓ ହେଲିକାପ୍ଟର ଯୋଗାଇବ । ଗତ ବର୍ଷ ୩ଟି ହେଲିକପ୍ଟର ଆସିଥିବାବେଳେ ଚଳିତ ବର୍ଷ ଏହି ୨ଟି ହେଲିକପ୍ଟର ଆସିଛି । ଆସନ୍ତା ମାସରେ ଆଉ ଏକ ହେଲିକାପ୍ଟର ଆସିବ । ଆସନ୍ତା ୨୦୨୫ ସୁଦ୍ଧା ସମସ୍ତ ୨୪ଟି ଯାକ ହେଲିକାପ୍ଟର ଭାରତରେ ପହଞ୍ଚିବ ।

ଏସବୁ ହେଲିକପ୍ଟର ଆମେରିକା ବାୟୁସେନାର ସ୍ବତନ୍ତ୍ର ଏୟାର ଆସାଇନମେଣ୍ଟ ମିସନ ଫ୍ଲାଇଟ ଦ୍ବାରା ଭାରତର କୋଚିକୁ ଅଣାଯାଇଥିଲା । ଏସବୁ ହେଲିକପ୍ଟର କୋଚିଠାରେ ଥିବା ନୌସେନା ଘାଟିରେ ମୁତୟନ କରାଯିବ । ପରବର୍ତ୍ତୀ କାଳରେ ଏହି ହେଲିକପ୍ଟର ଆଇଏନଏସ ବିକ୍ରାନ୍ତରେ ମୁତୟନ ହେବ ।

ଏମଏଚ୬୦-ଆରକୁ ବିଶ୍ବର ସବୁଠୁ ଶକ୍ତିଶାଳୀ ନାଭାଲ ହେଲିକପ୍ଟର କୁହାଯାଉଛି । ଏହା ଆକାଶମାର୍ଗରୁ ମିସାଇଲ ମାଡ଼ କରି ସମୁଦ୍ର ତଳେ ଯାଉଥିବା ବୁଡ଼ାଜାହାଜକୁ ଧ୍ବଂସ କରିପାରିବ । ଏହି ହେଲିକାପ୍ଟରରେ ହେଲଫାୟାର ମିସାଇଲ ଓ ଅନ୍ୟ କେତେକ ଘାତକ ରକେଟ ସିଷ୍ଟମ ରହିବ । ପୁଣି ଏଥିରେ ଏକ ଅତ୍ୟାଧୁନିକ ମେସିନ ଗନ, ରାଡାର ସିଷ୍ଟମ, ଇଲେକ୍ଟ୍ରୋନିକ ଓ୍ବାରଫେୟାର ସିଷ୍ଟମ ଲାଗିଛି ।

 

ସମ୍ବନ୍ଧିତ ଖବର