୨୪ ଘଣ୍ଟାରେ ଭାରତରେ ୨.୧୭ ଲକ୍ଷରୁ ଊର୍ଦ୍ଧ୍ୱ ନୂଆ କୋଭିଡ୍‌ -୧୯ ଆକ୍ରାନ୍ତ ଚିହ୍ନଟ; ମୃତ୍ୟୁସଂଖ୍ୟା ୧,୧୮୫

ନୂଆଦିଲ୍ଲୀ: କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦ୍ୱିତୀୟ ଥର ଲାଗି ଦୈନିକ ସଂକ୍ରମଣ ସଂଖ୍ୟା ପୁଣି ୨ ଲକ୍ଷ ଟପିଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୧୭,୩୫୩ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧,୧୮୫ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୪୨,୯୧,୯୧୭ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ହୋଇଥିବା ୧,୧୮୫ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୭୪,୩୦୮ରେ ପହଞ୍ଚିଛି।

Image Courtesy of India Today

ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧,୧୮,୩୦୨ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୨୫,୪୭,୮୬୬।

ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୫,୬୯,୭୪୩।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୧,୭୨,୨୩,୫୦୯ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

‘ଆଇସିଏମ୍‌ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଏପ୍ରିଲ୍‌ ୧୪ ସୁଦ୍ଧା ସମୁଦାୟ ୨୬,୩୪,୭୬,୬୨୫ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୪,୭୩,୨୧୦ଟି ନମୁନା।

ସମ୍ବନ୍ଧିତ ଖବର