କୋଭିଡ୍‌-୧୯: ୨୪ ଘଣ୍ଟାରେ ଦେଶରେ ୨୬,୨୯୧ ନୂଆ ସଂକ୍ରମଣ; ୧୧୮ ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୨୬,୨୯୧ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ୧୧୮ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଗତ ତିନି ମାସ ମଧ୍ୟରେ ଏହା ହେଉଛି ସର୍ବାଧିକ ଦୈନିକ ସଂକ୍ରମଣ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୬,୨୯୧ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୧୮ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୧୩,୮୫,୩୩୯ରେ ପହଞ୍ଚିଛି। ଗତକାଲି ଠାରୁ ଆଜିର ସଂକ୍ରମଣ ସଂଖ୍ୟା ୧.୭% ଅଧିକ ଥିବା ଜଣାପଡ଼ିଛି।

ଗତ ୨୪ ଘଣ୍ଟାରେ ହୋଇଥିବା ୧୧୮ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୮,୭୨୫ରେ ପହଞ୍ଚିଛି। କ୍ରମାଗତ ୬ ଦିନ ଧରି ୧.୪%ରେ ରହିବା ପରେ ମୃତ୍ୟୁହାର ୧.୩୯%କୁ ହ୍ରାସ ପାଇଛି।

Image Courtesy of Mint

ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୭,୪୫୫ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୧୦,୦୭,୩୫୨। ସୁସ୍ଥତା ହାର ମଧ୍ୟ ୯୬.୭%କୁ ହ୍ରାସ ପାଇଛି।

ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨,୧୦,୫୪୪ । ଏହା ହେଉଛି ସମୁଦାୟ ସଂକ୍ରମଣ ସଂଖ୍ୟା ୧.୮୫%।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨,୯୯,୦୮,୦୩୮ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

‘ଆଇସିଏମ୍‌ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ମାର୍ଚ ୧୪ ସୁଦ୍ଧା ସମୁଦାୟ ୨୨,୭୪,୦୭,୪୧୩ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୭,୦୩,୭୭୨ଟି ନମୁନା।

ସମ୍ବନ୍ଧିତ ଖବର