ନୂଆ ବର୍ଷରେ ଶିଶୁ ଜନ୍ମରେ ବିଶ୍ବ ରେକର୍ଡ କଲା ଭାରତ, ପ୍ରତି ୧ ମିନିଟ୍‌ରେ ୪୭ ଶିଶୁ ଜନ୍ମ

ନୂଆଦିଲ୍ଲୀ: ନୂଆବର୍ଷରେ ଭାରତ ସାରା ବିଶ୍ବରେ ସବୁଠୁ ଅଧିକ ଶିଶୁଙ୍କୁ ସ୍ବାଗତ କରିଛି। ନୂଆ ବର୍ଷର ପ୍ରଥମ ଦିନ ଭାରତରେ ୬୭,୩୮୫ ଶିଶୁ ଜନ୍ମ ହୋଇଛନ୍ତି ଯାହାକି ସାରା ବିଶ୍ବରେ ଏକ ରେକର୍ଡ। ଭାରତ ପଛକୁ ଚୀନ୍‌ରେ ୪୬,୨୯୯, ନାଇଜେରିଆରେ ୨୬,୦୩୯, ପାକିସ୍ତାନରେ ୧୬,୭୮୭, ଇଣ୍ଡୋନେସିଆରେ ୧୩,୦୨୦, ଏବଂ ଆମେରିକାରେ ୧୦,୪୫୨ ଶିଶୁ ଜନ୍ମ ହୋଇଥିବା ୟୁନିସେଫ୍‌ ତଥ୍ୟରୁ ଜଣାପଡ଼ିଛି। ୟୁନିସେଫ୍‌ ସୂଚନା ଅନୁଯାୟୀ ସମଗ୍ର ବିଶ୍ବରେ ନୂଆବର୍ଷ ଦିନ ୩୯୨,୦୭୮ ଶିଶୁ ଜନ୍ମ ହୋଇଥିବା ବେଳେ ଏହାର ୧୭ ପ୍ରତିଶତ ତଥା ୬୭,୩୮୫ ଜଣ ଭାରତରେ ଜନ୍ମ ହୋଇଛନ୍ତି। ନୂଆବର୍ଷର ପ୍ରଥମ ଦିନ ପ୍ରତି ମିନିଟରେ ଭାରତରେ ପ୍ରାୟ ୪୭ ଶିଶୁ ଜନ୍ମ ନେଇଛନ୍ତି। ରିପୋର୍ଟ ଅନୁଯାୟୀ ଫିଜିରେ ୨୦୨୦ର ପ୍ରଥମ ଶିଶୁ ଜନ୍ମ ହେବାର ଥିଲା ଏବଂ ଆମେରିକାରେ ନୂଆବର୍ଷର ଶେଷ ଶିଶୁ ଜନ୍ମ ‌ହେବାର ଥିଲା। ଜାତୀୟ ରାଜଧାନୀ ଦିଲ୍ଲୀରେ ନୂଆବର୍ଷ ଦିନ ଅଧିକାଂଶ ଶିଶୁ ଜନ୍ମ ହୋଇଛନ୍ତି।

୨୦୧୮ରେ ମୋଟ ୨.୫ ନିୟୁତ ନବଜାତ ଶିଶୁଙ୍କର ଜନ୍ମ ହେବାର ପ୍ରଥମ ମାସରେ ମୃତ୍ୟୁ ଘଟିଥିଲା। ଗର୍ଭଧାରଣ ସମୟରେ କିଛି ସମସ୍ୟା ପାଇଁ କିମ୍ବା ସଂକ୍ରମଣ ପାଇଁ ଅଧିକାଂଶ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଏଥିସହ ୨.୫ ନିୟୁତରୁ ଅଧିକ ଶିଶୁଙ୍କର ପ୍ରତିବର୍ଷ ଜନ୍ମରୁ ମୃତ୍ୟୁ ହୋଇଯାଉଛି। ଗତ ୩ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଶିଶୁଙ୍କୁ ବଞ୍ଚାଇ ରଖିବା କ୍ଷେତ୍ରରେ ସାରା ବିଶ୍ବରେ ବହୁତ ଉନ୍ନତି ହୋଇଛି। ପଞ୍ଚମ ଜନ୍ମବାର୍ଷିକୀ ପୂର୍ବରୁ ଯେଉଁ ପରିମାଣରେ ଶିଶୁଙ୍କ ମୃତ୍ୟୁ ହେଉଥିଲା ତାହା ଅଧାରୁ ଅଧିକ କମିଯାଇଛି। ତେବେ ୫ ବର୍ଷରୁ କମ୍‌ ବର୍ଷ ମଧ୍ୟରେ ସମୁଦାୟ ଶିଶୁ ମୃତ୍ୟୁ କ୍ଷେତ୍ରରେ ୨୦୧୮ରେ କେବଳ ୪୭ ପ୍ରତିଶତଙ୍କର ଜନ୍ମର ପ୍ରଥମ ମାସରେ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର