ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୭୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ, ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୮ ଲକ୍ଷ ଟପିଲା

ନୂଆଦିଲ୍ଲୀ: ପୁଣି ନୂଆ ରେକର୍ଡ କରିଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୭୦ ହଜାର ଛୁଇଁଥିବା ବେଳେ ଦେଶରେ ଏବେ ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ଲକ୍ଷ ପାର୍‌ ହୋଇ ସାରିଛି। ସେହିପରି ଗତକାଲି ୯୭୭ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି।

ଅଗଷ୍ଟ ୨୦ ତାରିଖ ସକାଳ ୮ଟା ସୁଦ୍ଧା  ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପ୍ରଦତ୍ତ ତଥ୍ୟ ଅନୁସାରେ  ସମଗ୍ର ଦେଶରେ ୨୮ ୩୬ ୯୨୫ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି।  ଆକ୍ରାନ୍ତଙ୍କ ମଧ୍ୟରୁ ୨୦୯୬୬୬୪ ଜଣ ସୁସ୍ଥ ହୋଇଛନ୍ତି । ବାକି ୫୩୮୬୬ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୬୯୬୫୨ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୬୩୯୫ ରହିଛି।


Time Magazine

ଉଲ୍ଲେଖଯୋଗ୍ୟ, ପୂରା ବିଶ୍ବରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨.୨୨ କୋଟିରେ ପହଞ୍ଚିଥିବା ବେଳେ ୭.୮୪ ଲକ୍ଷ ଲୋକଙ୍କ ଜୀବନ ଯାଇ ସାରିଲାଣି।

ଭାରତର ଏକ ବେସରକାରୀ ଲାବୋରେଟୋରି ପକ୍ଷରୁ କୁହାଯାଇଛି ଯେ ପ୍ରତି ୪ ଜଣଙ୍କ ମଧ୍ୟରୁ ଜଣେ ଭାରତୀୟ କରୋନା ସଂକ୍ରମିତ ହୋଇ ସାରିଛନ୍ତି। ବର୍ତ୍ତମାନ ସୁଦ୍ଧା ୨.୭୦ ଲକ୍ଷ ‌ଆଣ୍ଟିବଡି ପରୀକ୍ଷା କରାଯାଇଛି। ପରୀକ୍ଷଣରୁ ଜଣାପଡ଼ିଛି ଯେ ହାରାହାରି ୨୬ ପ୍ରତିଶତ ଲୋକଙ୍କ ନିକଟରେ ଆଣ୍ଟିବଡି ରହିଛି।

ଏବେ ସୁଦ୍ଧା ଦେଶରେ ସମୁଦାୟ ୩.୨୬ କୋଟି କରୋନା ପରୀକ୍ଷଣ ହୋଇ ସାରିଛି। ଦେଶରେ ସମୁଦାୟ ୨୦ ଲକ୍ଷ ସଂକ୍ରମିତ ସୁସ୍ଥ ହୋଇ ସାରିଲେଣି ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର