ନୂଆଦିଲ୍ଲୀ:  ଆମେରିକାର ବାରିଜ୍ୟ ପରାମର୍ଶଦାତା ପିଟର୍‌ ନାଭାରୋ ଭାରତର ବାଣିଜ୍ୟ ନୀତି ଏବଂ ରୁଷ୍‌ରୁ ତୈଳ କ୍ରୟ ଉପରେ ଦେଇଥିବା ଟିପ୍ପଣୀକୁ  ଭାରତ ସରକାର ଦୃଢ଼ ଭାବେ  ଖଣ୍ଡନ କରିଛନ୍ତି। ଆଜି  ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସ୍ବାଲ କହିଛନ୍ତି, ‘ଆମେ ପିଟର୍‌ ନାଭାରୋଙ୍କ ଅସତ୍ୟ ଓ ଭ୍ରାନ୍ତିପୂର୍ଣ୍ଣ ମନ୍ତବ୍ୟ ଦେଖିଛୁ ଏବଂ ତାହାକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରୁଛୁ।’  ସେ ଆହୁରି କହିଛନ୍ତି ଯେ, ଭାରତ ଓ ଆମେରିକା ମଧ୍ୟରେ ଏକ ବ୍ୟାପକ ବିଶ୍ୱସ୍ତରୀୟ ରଣନୀତିକ ସହଭାଗୀତା ରହିଛି, ଯାହା ସାଧାରଣ ଲକ୍ଷ୍ୟ, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଜନସାଧାରଣଙ୍କ ମଧ୍ୟରେ ଦୃଢ଼ ସମ୍ପର୍କ ଉପରେ ଆଧାରିତ।

Advertisment

ନାଭାରୋ ଫକ୍ସ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଦାବି କରିଥିଲେ ଯେ, ଭାରତ ରୁଷ୍‌ରୁ ରିହାତି ମୂଲ୍ୟରେ ତୈଳ କିଣୁଛି ଏବଂ ଏହାକୁ ପରିଶୋଧନ କରି ୟୁରୋପ, ଆଫ୍ରିକା ଓ ଏସିଆକୁ ରପ୍ତାନି କରୁଛି।  ଭାରତର ଏହି ପଦକ୍ଷେପ ରୁଷ୍‌ର  ଯୁଦ୍ଧକୁ ସିଧାସଳଖ ଅର୍ଥ ଯୋଗାଉଛି ପିଟର୍‌ ବୟାନ ଦେଇଥିଲେ ଏବଂ ଏହାକୁ ନେଇ ଆମେରିକାରେ ବି ଜୋର୍‌ଦାର ପ୍ରତିବାଦ ହୋଇଥିଲା। ସେ  ସେ ଆହୁରି କହିଥିଲେ, ‘ବ୍ରାହ୍ମଣମାନେ ଭାରତୀୟ ଜନତାଙ୍କ ଖର୍ଚ୍ଚରେ ଲାଭ  ଉଠାଉଛନ୍ତି।’ ଏଭଳି ବୟାନ ଭାରତରେ ତୀବ୍ର ବିରୋଧର ସୃଷ୍ଟି କରିଛି। ଏହି ମନ୍ତବ୍ୟକୁ ଅନେକେ ଜାତିଗତ ଓ ସାଂସ୍କୃତିକ ଦୃଷ୍ଟିରୁ ଅସମ୍ବେଦନଶୀଳ ବୋଲି କହି ସମାଲୋଚନା କରିଛନ୍ତି। ବିଜେପି ସାଂସଦ ଦିନେଶ ଶର୍ମା ଏହାକୁ  ତଥ୍ୟଗତ ଭାବେ ଭୁଲ  ଓ ସାଂସ୍କୃତିକ ଦୃଷ୍ଟିରୁ ଅସମ୍ବେଦନଶୀଳ ବୋଲି କହିଛନ୍ତି।

ନାଭାରୋଙ୍କ ଭାରତ ବିରୋଧୀ ଆଭିମୁଖ୍ୟ ଯୋଗୁ ସେ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କୁ ଭାରତ ବିରୋଧରେ ଅଧିକ କଟକଣା ଲଗାଇବାକୁ ପରମର୍ଶ ଦେଉଥିବା ବିଭିନ୍ନ ସୂତ୍ରୁ ଜଣାପଡ଼ିଛି।   ଭାରତର ବିପକ୍ଷରେ ନାଭାରୋଙ୍କ ଲଗାମଛଡ଼ା ବୟାନ ଓ ମିଥ୍ୟା ଅଭିଯୋଗ  ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ଆଣିପାରେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଭାରତ ନିଜର ରାଷ୍ଟ୍ରୀୟ ସ୍ୱାର୍ଥକୁ ପ୍ରାଥମିକତା ଦେଇ ରୁଷିଆ ସହ ଦୀର୍ଘକାଳୀନ ସମ୍ପର୍କକୁ ବଜାୟ ରଖିଛି। ପୂର୍ବତନ ଭାରତୀୟ କୂଟନୀତିଜ୍ଞ ବିକାଶ ସ୍ୱରୂପ କହିଛନ୍ତି ଯେ, ଭାରତ କୌଣସି ବାହ୍ୟ ଚାପରେ ନଇଁବ ନାହିଁ ବରଂ ନିଜର ରଣନୀତିକ ସ୍ବାଧୀନତାକୁ ଅନୁସରଣ କରି ଆଗକୁ ବଢ଼ିବ। ଏହି ଘଟଣା ଭାରତ-ଆମେରିକା ସମ୍ପର୍କରେ ଅସ୍ଥାୟୀ ଉତ୍ତେଜନା ସୃଷ୍ଟି କରିଛି, କିନ୍ତୁ ଉଭୟ ଦେଶ ସହଯୋଗୀ ସମ୍ପର୍କକୁ ଆଗେଇ ନେବା ପାଇଁ ପ୍ରତିବଦ୍ଧ ବୋଲି ଆଜି ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଜୈସ୍ବାଲ କହିଛନ୍ତି।