୧୩୦ଟି ରାଷ୍ଟ୍ର ଏବଂ ୭୦ଟି ଅନ୍ତର୍ଜାତୀୟ ସଂଗଠନକୁ ନେଇ ଚୀନ୍ ମେ ୨୦୧୭ରେ ପ୍ରଥମ ବେଲ୍ଟ ଆଣ୍ଡ୍ ରୋଡ୍ ଫୋରମ୍ (ବିଆର୍ଏଫ୍) ସମ୍ମିଳନୀ ବେଜିଂରେ ଆୟୋଜନ କରିଥିଲା। ବିଆର୍ଏଫ୍ ହେଉଛି ଏକ ଅନ୍ତର୍ଜାତୀୟ ସହଯୋଗ ପ୍ଲାଟଫର୍ମ ଯାହାକି ଅନ୍ତର୍ଜାତୀୟ ଶାସନ ବ୍ୟବସ୍ଥାର ପ୍ରତିନିଧିତ୍ବ କରିବ ଏବଂ ସମଗ୍ର ବିଶ୍ବକୁ ଗୋଟିଏ ସର୍ବସମ୍ମତ ଆର୍ଥିକ ପରିଚାଳନା ନୀତି ମଧ୍ୟରେ ରଖିବାକୁ ପ୍ରୟାସ କରିବ। ଏଥିପାଇଁ ଶତାଧିକ ବିଶାଳ ଆର୍ଥିକ କରିଡରର ପରିକଳ୍ପନା କରାଯାଇଛି । ତେବେ ଚୀନ୍ କେବଳ ନିଜର ବ୍ୟବସାୟିକ ସାମ୍ରାଜ୍ୟର ବିସ୍ତାର ପାଇଁ ଏହି ଯୋଜନା ହାତକୁ ନେଇଥିବା କୁହାଯାଉଥିବା ବେଳେ ଅନେକ ଏହାକୁ ଜଗତୀକରଣର ଦ୍ବିତୀୟ ପର୍ଯ୍ୟାୟ ବୋଲି ମଧ୍ୟ କୁହନ୍ତି। ଚୀନ୍ ନିଜର ଆର୍ଥିକ ଶକ୍ତି ବଳରେ ଦୁର୍ବଳ ରାଷ୍ଟ୍ରଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ଚାହୁଛି ଏବଂ ନିଜର ଅର୍ଥନୀତିକୁ ବିଶ୍ବ ବାଣିଜ୍ୟର ଶୀର୍ଷରେ ରଖିବାକୁ ବିଆର୍ଏଫ୍ ପରିକଳ୍ପନା କରିଛି ବୋଲି ଆମେରିକୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଉଛି।
ବେଜିଂ: ଚୀନ୍ର ଦ୍ବିତୀୟ ବେଲ୍ଟ ଆଣ୍ଡ୍ ରୋଡ୍ ଫୋରମ୍ (ବିଆର୍ଏଫ୍) ସମ୍ମିଳନୀକୁ ଭାରତ ବର୍ଜନ କରିବ ବୋଲି ଆଜି ସଙ୍କେତ ଦେଇଛି। କୌଣସି ରାଷ୍ଟ୍ର ନିଜର ଆଂଚଳିକ ସଂହତି ଏବଂ ସାର୍ବଭୌମତ୍ବକୁ ସାଲିସ୍ କରି ଏଭଳି ମଂଚରେ ସାମିଲ ହୋଇପାରିବ ନାହିଁ ବୋଲି ଭାରତ କହିଛି। ୨୦୧୭ରେ ଚୀନ୍ର ୱାନ୍ ବେଲ୍ଟ ୱାନ୍ ରୋଡ (ଓବିଓଆର୍) ସମ୍ମିଳନୀକୁ ଭାରତ ବର୍ଜନ କରିବା ସହ କଡ଼ା ଅଭିମୁଖ୍ୟ ପୋଷଣ କରିଥିଲା। ଚଳିତ ବର୍ଷ ମଧ୍ୟ ବିଆର୍ଏଫ୍ ସମ୍ମିଳନକୁ ଭାରତ ବର୍ଜନ କରି ବିରୋଧ ଜାରି ରଖିବ। ପାକିସ୍ତାନ ଅଧିକୃତ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ସେଠାରେ ବିଆର୍ଏଫ୍ ଯୋଜନାରେ ଚାଲିଥିବା ଚୀନ୍-ପାକିସ୍ତାନ ଆର୍ଥିକ କରିଡର କାର୍ଯ୍ୟ ସଂପୂର୍ଣ୍ଣ ବେଆଇନ ବୋଲି ଭାରତ କହିଛି। ଏହି ବିବାଦୀୟ ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବା ନିମନ୍ତେ ମଧ୍ୟ ଭାରତ ବିଭିନ୍ନ ଅନ୍ତର୍ଜାତୀୟ ମଂଚରେ ଦୃଢ଼ ଦାବି କରିଆସିଛି। ଆଜି ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ୍ ୱି କହିଛନ୍ତି ଯେ ଏଥର ବିଆର୍ଏଫ୍ର ଏକ ବଡ଼ ସମ୍ମିଳନୀ ଅନୁଷ୍ଠିତ ହେବ ଏବଂ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏଥିରେ ଯୋଗଦେବେ। ଆଜି ଚୀନ୍ରେ ଭାରତର ରାଷ୍ଟ୍ରଦୂତ ବିକ୍ରମ ମିଶ୍ରି ଗ୍ଲୋବାଲ ଟାଇମ୍ସକୁ କହିଛନ୍ତି, ଆର୍ଥିକ କରିଡର ଅନ୍ୟ ରାଷ୍ଟ୍ରର ଆଂଚଳିକ ଅଖଣ୍ଡତାକୁ ସମ୍ମାନ ଦେଇ କରାଯିବା ଆବଶ୍ୟକ। ଅନ୍ୟଥା ଏଭଳି ବିବାଦୀୟ ଏବଂ ବେଆଇନ ପ୍ରକଳ୍ପକୁ ନେଇ ବଡ଼ ସମସ୍ୟା ଉପୁଯିବ ବୋଲି ସେ ଚେତାଇ ଦେଇଛନ୍ତି।
ଭାରତ ଏବଂ ଆମେରିକା ସମେତ ବିଭିନ୍ନ ରାଷ୍ଟ୍ର ଚୀନ୍ର ଏହି ସଂଯୋଗୀକରଣ ଯୋଜନାରେ ରହିଥିବା ବିବାଦୀୟ ଦିଗଗୁଡ଼ିକ ଉପରେ ଆଲୋଚନା ପାଇଁ ଆହ୍ବାନ ଦେଇଛନ୍ତି। ଚୀନ୍ ଅନେକ କ୍ଷୁଦ୍ର ରାଷ୍ଟ୍ରଙ୍କୁ ଋଣ ଭାରରେ ବୁଡ଼ାଇ ଏହି ପ୍ରକଳ୍ପ କାର୍ଯ୍ୟ ଚଳାଇଥିବାରୁ ଏ ଦିଗରେ ସମୀକ୍ଷା ଜରୁରୀ ବୋଲି ମତ ପ୍ରକାଶ ପାଇଛି। ଶ୍ରୀଲଙ୍କା, ପାକିସ୍ତାନ, ମାଲେସିଆ ଆଦି ରାଷ୍ଟ୍ର ଏବେ ଚୀନ୍ର ଋଣ ଭାରରେ ବୁଡ଼ି ରହିଛନ୍ତି। ବୃହତ୍ତର ରାଜନୈତିକ ଏବଂ ଆର୍ଥିକ ସଚେତନତାକୁ ଅଣଦେଖା କରି ସୀମିତ ସ୍ବାର୍ଥ ପାଇଁ କୌଣସି ବିଶ୍ବସ୍ତରୀୟ ପ୍ରକଳ୍ପ ଗ୍ରହଣୀୟ ହେବନାହିଁ ବୋଲି ଭାରତ ସ୍ପଷ୍ଟ କରିଛି।