କଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ମଧ୍ୟସ୍ଥତା ପ୍ରସ୍ତାବକୁ ଭାରତର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ : କଶ୍ମୀର ସମସ୍ୟାର ସମାଧାନ ଲାଗି ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବକୁ ଭାରତ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଛି । କଶ୍ମୀର ସମସ୍ୟା ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସମସ୍ୟା ବୋଲି ଭାରତ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ।
ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଛି ଯେ କଶ୍ମୀର ସମସ୍ୟା ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସମସ୍ୟା । କଥାବାର୍ତ୍ତା ମାଧ୍ୟମରେ ଏହାର ସମାଧାନ ବାହାର କରାଯିବ । କିନ୍ତୁ ଆତଙ୍କବାଦ ବନ୍ଦ ନହେଲେ କଥାବାର୍ତ୍ତା କରିବା ସମ୍ଭବ ନୁହେଁ । ଆତଙ୍କ ଓ ଆଲୋଚନା ଏକତ୍ର ଚାଲିପାରିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି ।
ମଙ୍ଗଳବାରଦିନ ସ୍ୱିଜରଲାଣ୍ଡର ଡାଭୋସଠାରେ ଅନୁଷ୍ଠିତ ଓ୍ଵାର୍ଲଡ ଇକୋନୋମିକ ଫୋରମ ଅବସରରେ ଟ୍ରମ୍ପ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଭେଟିବା ପୂର୍ବରୁ କହିଥିଲେ ଯେ ସେ କଶ୍ମୀର ସମସ୍ୟାର ସମାଧାନ ଲାଗି ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ରାଜି ଅଛନ୍ତି । ଏହି ସାକ୍ଷାତ ଟ୍ରମ୍ପ ଓ ଇମ୍ରାନଙ୍କ ମଧ୍ୟରେ ଗତ ଏକ ବର୍ଷ ମଧ୍ୟରେ ୩ୟ ସାକ୍ଷାତ । ପୂର୍ବପରି ଏହି ଆଲୋଚନା ଅବସରରେ ମଧ୍ୟ ଇମ୍ରାନ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ । କଶ୍ମୀରରେ ଭାରତ ପକ୍ଷରୁ ମାନବ ଅଧିକାର ହନନ କରାଯାଉଥିବା ସେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର